କଂଗ୍ରେସକୁ ଶନିଦଶା ! ବିଜେଡିରେ ଯୋଗଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅ ସୁନିତା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ କଂଗ୍ରେସରେ ପଡିଛି ଶନିଦଶା । ରାଜ୍ୟ କଂଗ୍ରେସ ମୁଖିଆଙ୍କ ଉପରେ ପାଉନି ଭରସା । ଗୋଦରା ଖୋଳେ ଯେତେ ମାଡ଼େ ସେତେ ପରି ହେଲାଣି ରାଜ୍ୟ କଂଗ୍ରେସର ଅବସ୍ଥା । ନିର୍ବାଚନ ଯେତେ ପଖାଉଛି କଂଗ୍ରେସରୁ ନେତା ସେତେ କମୁଛନ୍ତି । କଂଗ୍ରେସର ଅନେକ ନେତାଙ୍କ ବୟସ ଅଧିକ ହେଲାଣି ତେଣୁ ସେମାନଙ୍କ ସନ୍ତାନ ସନ୍ତତିଙ୍କୁ କଂଗ୍ରେସର ଭବିଷ୍ୟତ ବୋଲି ଆଶା କରାଯାଉଥିଲା । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଯୁବବର୍ଗଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି କହି ସାରିଛନ୍ତି । ଏହା ସତ୍ତ୍ୱେ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି ରାଜ୍ୟ କଂଗ୍ରେସ । ନିକଟରେ ଝାରସୁଗୁଡ଼ାର ବିଧାୟକ ନବ ଦାସ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ ଓ ସୁନ୍ଦରଗଡ଼ର ବିଧାୟକଙ୍କୁ ଦଳବିରୋଧୀ ମନ୍ତବ୍ୟ ପାଇଁ କଂଗ୍ରେସ ରୁ ବହିଷ୍କାର କରାଯାଇଥିଲା । ବର୍ତ୍ତମାନ ଝାରସୁଗୁଡା ଓ ସୁନ୍ଦରଗଡରେ କଂଗ୍ରେସର ଅବସ୍ଥା ଭଲ ନଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ପୁତ୍ରୀ ସୁନିତା ବିଶ୍ବାଳ ଆଜି କଂଗ୍ରେସର ହାତ ଛାଡି ନବ ଦାସଙ୍କ ଉପସ୍ଥିତିରେ ନବୀନ ନିବାସରେ ବିଜେଡିର ଶଙ୍ଖ ଧରିଛନ୍ତି ।

ସୁନିତା ବିଶ୍ବାଳ ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଥିଲେ । ଆଗାମୀ ନିର୍ବାଚନରେ ସେ ସୁନ୍ଦରଗଡ଼ ଆସନରୁ କଂଗ୍ରେସ ଟିକେଟ ପାଇବା ପାଇଁ ଆବେଦନ ମଧ୍ୟ କରିଥିଲେ। ତେବେ ସେ କାହିଁକି ହଠାତ କଂଗ୍ରେସର ହାତ ଛାଡି ବିଜେଡିର ଶଙ୍ଖ ଧରିଲେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ସେହିପରି ଝିଅ କଂଗ୍ରେସ ଛାଡ଼ି ବିଜେଡିରେ ମିଶିବାକୁ ନେଇ ହେମାନନ୍ଦ ବିଶ୍ୱାଳ କହିଛନ୍ତି, ସେ ଛୋଟ ପିଲା ନୁହେଁ ଯେ ମୋ ସହିତ ପରାମର୍ଶ କରିବ । ବିଜେଡିରେ ମିଶିବା ନିଷ୍ପତ୍ତି ସଂପୂର୍ଣ୍ଣ ଭାବେ ତା’ର । ନିର୍ବାଚନ ବେଳେ ସେ ବିଜେଡି ପାଇଁ ପ୍ରଚାର କରିବ ଓ ମୁଁ କଂଗ୍ରେସ ପାଇଁ ପ୍ରଚାର କରିବି।

Leave a comment