କରୋନା ମହାମାରୀ ସମୟରେ ଆୟୁଷ୍ମାନ ଭାରତ ଯୋଜନାର ଲାଭ ଉଠାଇପାରିବେ ଓଡ଼ିଶାବାସୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଓଡ଼ିଶାବାସୀଙ୍କୁ କେନ୍ଦ୍ର ସରକାର ବଡ ଉପହାର ପ୍ରଦାନ କରିଛନ୍ତି । ବର୍ତ୍ତମାନର ସଙ୍କଟ ସମୟରେ ଓଡିଶାବାସୀଙ୍କୁ ମିଳିବ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା । ରାଜ୍ୟ ବାହାରେ ରହୁଥିବା ଓଡିଆ ଲୋକମାନେ ବି ପାଇବେ ଏଥିରୁ ଫାଇଦା । ଓଡିଶାରେ ଆୟୁଷ୍ମାନ ଭାରତ ଯୋଜନା ବର୍ତ୍ତମାନ ସୁଦ୍ଧା ଲାଗୁ ନ ହୋଇଥିଲେ ମଧ୍ୟ ତାହାର ବେନିଫିଟ୍‌ ପାଇବେ ରାଜ୍ୟବାସୀ । ପୂର୍ବରୁ କେନ୍ଦ୍ର ସରକାରଙ୍କ ବାରମ୍ବାର ନିବେଦନ ପରେ ବି ରାଜ୍ୟ ସରକାର ଏହାକୁ ଲାଗୁ କରିନଥିଲେ । ତେବେ ବର୍ତ୍ତମାନ ବଢୁଥିବା କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଜାତୀୟ ସ୍ୱାସ୍ଥ୍ୟ ବୀମା ଯୋଜନାରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ବା ଆୟୁଷ୍ମାନ ଭାରତ ସହିତ ଆଇସିଏମ୍ଆର ସ୍ୱୀକୃତିପ୍ରାପ୍ତ ଘରୋଇ ଲାବୋରେଟୋରିଗୁଡିକ ପାଇଁ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ନିର୍ଦ୍ଦେଶାବଳୀ ପ୍ରକାଶ କରିଛି । କରୋନା ମହାମାରୀର ସଙ୍କଟ ସମୟରେ, ଏହି ଲାବୋରେଟୋରିଗୁଡିକ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ହିତାଧିକାରୀଙ୍କୁ କରୋନା ପରୀକ୍ଷା ସୁବିଧା ପାଇବାରେ ସାହାଯ୍ୟ କରିବ ବୋଲି NHA(ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ)ର ଗାଇଡ୍‌ଲାଇନ୍‌ରେ ଦର୍ଶାଯାଇଛି । ଗାଇଡ୍‌ଲାଇନ୍‌ ଅନୁଯାୟୀ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ସେହି ରାଜ୍ୟଗୁଡିକରେ ଲାବୋରେଟୋରିଗୁଡିକୁ ଅନୁମୋଦିତ କରିବ ଯେଉଁଠାରେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ବା ଆୟୁଷ୍ମାନ ଭାରତ ଯୋଜନାକୁ କାର୍ଯ୍ୟକାରୀ କରାଯାଉ ନାହିଁ । ଏହିସବୁ ରାଜ୍ୟଗୁଡ଼ିକ ମଧ୍ୟରେ ସାମିଲ୍‌ ରହିଛି ତେଲେଙ୍ଗାନା, ପଶ୍ଚିମବଙ୍ଗ, ଦିଲ୍ଲୀ ଏବଂ ଓଡିଶା । ଏଠାରେ ଥିବା ଲ୍ୟାବଗୁଡିକର ଏମ୍ପାନେଲମେଣ୍ଟ ପାଇଁ ମଡ୍ୟୁଲଗୁଡିକ ବିକଶିତ କରାଯାଇଛି । ବର୍ତ୍ତମାନ NHA(ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ) କେବଳ ICMR ପଞ୍ଜୀକୃତ ଲ୍ୟାବଗୁଡିକୁ ଏମ୍ପାନେଲ୍ କରିବାକୁ ନିଷ୍ପତ୍ତି ନିଆଯାଇଛି, କାରଣ ସେମାନେ କେବଳ କରୋନା ସଂକ୍ରମଣ ପାଇଁ ପରୀକ୍ଷା କରିବାକୁ ଅନୁମତିପ୍ରାପ୍ତ ବୋଲି ଏଥିରେ କୁହାଯାଇଛି । ତେବେ ବିଗତ ଦୁଇବର୍ଷ ହେବ ଆୟୁଷ୍ମାନ ଭାରତ ଯୋଜନା ରାଜ୍ୟରେ ଲାଗୁ ହେବାକୁ ନେଇ ଅନେକ ବିତର୍କ ହୋଇଛି । ଖାଲି ସେତିକି ନୁହେଁ ପ୍ରଧାନମନ୍ତ୍ରୀଙ୍କଠୁ ଆରମ୍ଭ କରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ରାଜ୍ୟ ସରକାରଙ୍କୁ ବାରମ୍ବାର ନିବେଦନ କରିଥିଲେ । ମାତ୍ର ରାଜ୍ୟସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଭଲ କହିବା ସହ ଆୟୁଷ୍ମାନ ଭାରତ ଯୋଜନାକୁ ଗ୍ରହଣ କରିନଥିଲେ ।

Leave a comment