ସମ୍ବାଦିକ ଆକ୍ରମଣକାରୀଙ୍କୁ କଠୋର ଦଣ୍ଡ ମିଳୁ, ବିଜେଡ଼ି

0

ଭୁବନେଶ୍ୱର ଓଡ଼ିଶା ଫାଷ୍ଟ (ବ୍ୟୁରୋ)ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳରେ ସାମ୍ବାଦିକମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ଆମେ ତୀବ୍ର ନିନ୍ଦା କରୁଛୁ । ଗଣମାଧ୍ୟମରୁ ଆମେ ଜାଣିବାକୁ ପାଇଲୁ ଯେ ଏହି ଆକ୍ରମଣକାରୀମାନଙ୍କ ବିରୋଧରେ ପୁଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅଭିଯୁକ୍ତମାନଙ୍କୁ ଆଇନ ଅନୁଯାୟୀ କଠୋରରୁ କଠୋର ଦଣ୍ଡ ମିଳିବ ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ।

ଆଜି ଏଠାରେ ଗଣମାଧ୍ୟମକୁ ଶ୍ରୀ ମହାନ୍ତି କହିଛନ୍ତି ଯେ ତିନିଟି ପର୍ଯ୍ୟାୟ ନିର୍ବାଚନ ପରେ ବିଜେପି ଜାଣି ସାରିଲାଣି ଯେ ସେମାନେ ଅତ୍ୟନ୍ତ ଶୋଚନୀୟ ଭାବେ ପରାସ୍ତ ହେବାକୁ ଯାଉଛନ୍ତି । ଫଳରେ ବିଜେପିକୁ ଏବେ ହାରିବା ଭୟ ଘାରିଛି । ଆଉ ଏହି ଲଜ୍ଜାରୁ ମୁକୁଳିବା ପାଇଁ ସେମାନେ ବିଭିନ୍ନ ବାହାନା କରୁଛନ୍ତି । ପ୍ରତିଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନିଜେ ହିଂସା ଘଟାଇ ପାଲଟା ଅଭିଯୋଗ ଆଣୁଛନ୍ତି ।

ଶ୍ରୀ ମହାନ୍ତି କହିଛନ୍ତି ଯେ କିଛି ଦିନ ତଳେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ସରକାରୀ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କରି ହାତ ଭାଙ୍ଗି ଦେଇଥିଲେ । ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ନିଜ ଦଳର ଜଣେ ଯୁବ ନେତ୍ରୀଙ୍କୁ ଲଜ୍ଜାଜନକ ଭାବେ ଅଶାଳୀନ ବ୍ୟବହାର କରିଥିଲେ । ଏକଥା ବି ସମସ୍ତେ ଜାଣନ୍ତି ଯେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ହତ୍ୟା ଅଭିଯୋଗରେ ଜେଲ୍‌ ଯାଇଥିଲେ ଏବଂ ଏବେ ସେ ଜାମିନରେ ଅଛନ୍ତି । ଚଳିତ ନିର୍ବାଚନରେ ଓଡ଼ିଶା ବିଜେପି ହତାଶ ହୋଇ ପିପିଲିଠୁ ନେଇ ଗଜପତି ଓ ଜଗତସିଂହପୁର ପର୍ଯ୍ୟନ୍ତ, ସାରା ରାଜ୍ୟରେ ବ୍ୟାପକ ହିଂସା ଘଟାଇ ଚାଲିଛି । ରକ୍ତମୁଖା ବିଜେପି କର୍ମୀ ସାଧାରଣ ଜନତାଙ୍କଠୁ ନେଇ ପୁଲିସ, ସରକାରୀ କର୍ମଚାରୀ କାହାକୁ ଛାଡ଼ୁ ନାହାନ୍ତି । ଗତକାଲି କୁଜଙ୍ଗରେ ବରିଷ୍ଠ ନେତା ଦାମୋଦର ରାଉତଙ୍କ ଗାଡ଼ି ଉପରକୁ ବି ଆକ୍ରମଣ କରିଛନ୍ତି । ଆମେ ଆଶା କରୁଛୁ ସେମାନେ ଏଭଳି ହିଂସାରୁ କ୍ଷାନ୍ତ ହେବେ ଏବଂ ଆଇନର ଶାସନକୁ ସମ୍ମାନ ଦେବେ ।

ଓଡ଼ିଶା ବିଜେପି ଅତ୍ୟନ୍ତ ବିପଦଜନକ ଭାବେ କିଭଳି ବିହାର ଓ ୟୁପି ମଡେ଼ଲର ନିର୍ବାଚନୀ ହିଂସାକୁ ଆମଦାନୀ କରିବାକୁ ଚେଷ୍ଟା କରୁଛି ତାହା ସମସ୍ତେ ଦେଖୁଛନ୍ତି । ମାତ୍ର ସେମାନେ ଭୁଲିଯିବା ଉଚିତ ନୁହେଁ ଯେ ଶାନ୍ତିପ୍ରିୟ ଓଡ଼ିଶାବାସୀ ଏକ ଶାନ୍ତିପୂର୍ଣ୍ଣ ବାତାବରଣରେ ରହିବାକୁ ଭଲ ପାଆନ୍ତି । ବିଗତ ନିର୍ବାଚନମାନଙ୍କରେ ଏଭଳି ହିଂସା ଘଟାଇଥିବାରୁ ବିଜେପିକୁ ଓଡ଼ିଶାବାସୀ ପ୍ରତ୍ୟାଖାନ କରିଥିଲେ । ଏବେ ଚଳିତ ନିର୍ବାଚନରେ ବି ବିଜେପି ଯେମିତି ରକ୍ତମୁଖା ହୋଇଛି, ତାହାକୁ ଓଡ଼ିଶାବାସୀ କେବେ ବି ବରଦାସ୍ତ କରିବେନି । ଏହାର ଉଚିତ ଜବାବ ଦେଇ ପୁଣି ଥରେ ସେମାନଙ୍କୁ ପରାଜୟର ରାସ୍ତା ଦେଖାଇବେ ବୋଲି ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ।

Leave a comment