୬୫ ବର୍ଷ ଅପେକ୍ଷା କରି ଭାରତୀୟ ନାଗରିକତ୍ୱ ମିଳିଲାନି, ଆଖିବୁଜିଲେ ୧୦୪ ବର୍ଷ ବୟସ୍କ ବ୍ୟକ୍ତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଦୀର୍ଘ ୬୫ ବର୍ଷ ଧରି ଭାରତରେ ବସବାସ କରିବା ସତ୍ତେ୍ୱ ତାଙ୍କୁ ଭାରତୀୟ ନାଗରିକତ୍ୱ ମିଳିପାରିଲାନି। ଜଣେ ବିଦେଶୀଭାବେ ହିଁ ତାଙ୍କୁ ଶେଷ ନିଶ୍ୱାସ ତ୍ୟାଗ କରିବାକୁ ପଡିଛି। ଦୀର୍ଘ ବର୍ଷର ଏହି ମାନସିକ ଯନ୍ତ୍ରଣା ଓ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ଶେଷରେ ପ୍ରାଣ ହରାଇଛନ୍ତି ଆସାମ ନିବାସୀ ଏହି ୧୦୪ ବର୍ଷ ବୟସ୍କ ଚନ୍ଦ୍ରଧର ଦାସ। ସୂଚନାଯୋଗ୍ୟ ୧୯୫୫ରେ ଚନ୍ଦ୍ରଧର ସପରିବାର ବାଂଲାଦେଶ (ତତ୍କାଳୀନ ପୂର୍ବ ପାକିସ୍ତାନ)ରୁ ଭାରତ ଚାଲିଆସିଥିଲେ। ପ୍ରଥମେ ତ୍ରିପୁରାରେ ରହିବା ସମୟରେ ତାଙ୍କୁ ଶରଣାର୍ଥୀ ସାର୍ଟିଫିକେଟ ମିଳିଥିଲା। ପରେ ସେ ଆସାମ ପଳାଇ ଆସିଥିଲେ। ନିୟମ ଅନୁଯାୟୀ ୧୯୭୧ ପୂର୍ବରୁ ଆସାମରେ ବାସ କରୁଥିବା ବ୍ୟକ୍ତି ଭାରତୀୟ ନାଗରିକ ଭାବେ ବିବେଚିତ ହେବା କଥା, ତେବେ ଆସାମ ସରକାରଙ୍କ ଅଧିକାରୀମାନେ ସେତେବେଳେ ଚନ୍ଦ୍ରଧରଙ୍କ ଉକ୍ତ ସାର୍ଟିଫିକେଟକୁ ଯାଞ୍ଚ କରିନଥିଲେ। ଏଥିସହିତ ତାଙ୍କର ତିନି ସନ୍ତାନ ଓ ନାତିନାତୁଣିମାନେ ଏନଆରସି (ନ୍ୟାସନାଲ ରେଜିଷ୍ଟର ଅଫ୍ ସିଟିଜେନସ)ରୁ ବାଦପଡିବା ଫଳରେ ଭାରତୀୟ ନାଗରିକତ୍ୱ ପାଇବା ଆହୁରି କଷ୍ଟକର ହୋଇପଡିଲା।
ଏପରିକି ୨୦୧୮ ଜାନୁଆରୀରେ ଏକତରଫା ରାୟ ଅନୁଯାୟୀ ବିଦେଶୀ ଟ୍ରିବ୍ୟୁନାଲ ତାଙ୍କୁ ବିଦେଶୀ ବୋଲି ଘୋଷଣା କରିଥିଲେ। ଅସାମରେ ଏନଆରସିକୁ କାର୍ଯ୍ୟକାରୀ କରିବାକୁ ଯେଉଁ ୩୩ ନିୟୁତ ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ କରାଯାଇଛି, ସେଥିରୁ ୧୯ ଲକ୍ଷ ଲୋକଙ୍କୁ ବିଦେଶୀ ଆଖ୍ୟା ସହ ବାଦ ଦିଆଯାଇଛି। ଚନ୍ଦ୍ରଧରଙ୍କର ଶେଷ ଇଚ୍ଛା ଥିଲା, ଭାରତୀୟ ନାଗରିକଭାବେ ମୃତ୍ୟୁଲାଭ କରିବେ। ଗତବର୍ଷ ଡିସେମ୍ବରରେ ସଂସଦରେ ନାଗରିକ ସଂଶୋଧନ ଆଇନ ପ୍ରଣୟନ ହେବାପରେ ଚନ୍ଦ୍ରଧରଙ୍କର ଏହି ଆଶା ଅଧିକ ଉଜ୍ଜ୍ୱଳ ହୋଇଉଠିଥିଲା। ତେବେ ସବୁକିଛି ଫଇସଲା ହେବାପୂର୍ବରୁ ରବିବାର ରାତିରେ ଚନ୍ଦ୍ରଧର ୧୦୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

Leave a comment

You cannot copy content of this page