ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କଙ୍କୁ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ପତ୍ର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୟୁଜିସି ପକ୍ଷରୁ ଜାରି କରାଯାଇଥିବା ପରିବର୍ତିତ ମାର୍ଗଦର୍ଶିକା ଏବଂ କେନ୍ଦ୍ର ମାନବ ସମ୍ବଳ ବିକାଶ ବିଭାଗ କାର୍ଯ୍ୟାଳୟର ଅଫିସ୍ ମେମୋରାଣ୍ଡମ୍ ସମସ୍ତ ବିଶ୍ୱ ବିଦ୍ୟାଳୟ ଏବଂ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଅଣ୍ଡର ଗ୍ରାଜୁଏଟ୍ ଏବଂ ପୋଷ୍ଟ ଗ୍ରାଜୁଏଟ୍‌ର ଶେଷ ବର୍ଷ ସେମିଷ୍ଟାର ପରୀକ୍ଷା ତା.୩୦.୦୯.୨୦୨୦ ସୁଦ୍ଧା କରିବା ପାଇଁ ବାଧ୍ୟତାମୁଳକ କରାଯାଇଥିବା ପରିପ୍ରେକ୍ଷୀରେ ନିଷ୍ପତିର ପୁନର୍ବିଚାର କରିବା ପାଇଁ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରିଆଲ୍ ନିଶଙ୍କଙ୍କୁ ଗୁରୁବାର ପତ୍ର ଲେଖିଛନ୍ତି । ୟୁଜିସି ପକ୍ଷରୁ ଜାରି କରାଯାଇଥିବା ପରିବର୍ତିତ ମାର୍ଗଦର୍ଶିକା, ପୂର୍ବରୁ ତା.୨୯.୦୪.୨୦୨୦ରେ ପ୍ରବତ ମାର୍ଗଦର୍ଶିକାର ବିରୁଦ୍ଧାଚରଣ କରୁଛି । ପୂର୍ବ ମାର୍ଗଦର୍ଶିକାରେ ରାଜ୍ୟ ସରକାରଙ୍କୁ କୋଭିଡ୍‌-୧୯ ସ୍ଥିତି ଅନୁଧ୍ୟାନ କରି ବିଶ୍ୱ ବିଦ୍ୟାଳୟ ପରୀକ୍ଷା ସମ୍ପର୍କରେ ନିଜେ ନିଷ୍ପତି ନେଇପାରିବେ ବୋଲି ଉଲ୍ଲେଖ କରାଯାଇଥିଲା । ତଦନୁସାରେ ରାଜ୍ୟ ସରକାର ରାଜ୍ୟର ସମସ୍ତ କୁଳପତି ମାନଙ୍କ ସହିତ ବୈଠକ କରି ଛାତ୍ରଛାତ୍ରୀମାନଙ୍କ ହିତ ଦୃଷ୍ଟିରୁ ଅଣ୍ଡର ଗ୍ରାଜୁଏଟ୍ ଏବଂ ପୋଷ୍ଟ ଗ୍ରାଜୁଏଟର ଶେଷ ବର୍ଷ ସେମିଷ୍ଟାର ପରୀକ୍ଷାକୁ ବାତିଲ କରିବା ପାଇଁ ନିଷ୍ପତି ଗ୍ରହଣ କରିଥିଲେ । ଛାତ୍ରଛାତ୍ରୀମାନଙ୍କର ପୁର୍ବ ସେମିଷ୍ଟାର ପରୀକ୍ଷା ଗୁଡିକରେ ପାଇଥିବା ମାର୍କକୁ ଆଧାର କରି ଶେଷ ବର୍ଷ ଫଳ ପ୍ରକାଶ କରିବା ପାଇଁ ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ବର୍ତମାନ ପରିସ୍ଥିତିରେ ପ୍ରାୟ ୨ ଲକ୍ଷ ଛାତ୍ରଛାତ୍ରୀମାନଙ୍କର କ୍ଲାସ୍ ରୁମ୍ ପରୀକ୍ଷା କିମ୍ବା ଅନ୍‌ଲାଇନ୍ ପରୀକ୍ଷା କରିବା ସମ୍ଭବ ନୁହେଁ ବୋଲି ମନ୍ତ୍ରୀ ଡ଼ଃ ସାହୁ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି । ତେଣୁ ୟୁଜିସି ଦ୍ୱାରା ଜାରି କରାଯାଇଥିବା ପରିବର୍ତିତ ମାର୍ଗଦର୍ଶିକାର ପୁନର୍ବିଚାର କରିବା ସହିତ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ପୁର୍ବ ନିର୍ଦ୍ଧାରିତ ନିଷ୍ପତିକୁ ଲାଗୁ କରିବା ପାଇଁ ମନ୍ତ୍ରୀ ଡ଼ଃ ସାହୁ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

Leave a comment