ଏମ୍ସରେ ଅରୁଣ ଜେଟଲୀ, ସ୍ୱାସ୍ଥ୍ୟବସ୍ଥା ସ୍ଥିର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ଏମ୍‌ସରେ ଭର୍ତ୍ତି ହୋଇଛନ୍ତି । ଶ୍ରୀ ଜେଟଲୀ କର୍କଟ ଓ କିଡନି ଜନିତ ରୋଗରେ ପୀଡ଼ିତ ଅଛନ୍ତି । ଗତକାଲି ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଶ୍ବାସ ପ୍ରଶ୍ବାସରେ ସମସ୍ୟା ଦେଖାଯିବା ପରେ ଶ୍ରୀ ଜେଟଲୀଙ୍କୁ ତୁରନ୍ତ ଏମ୍ସର ହୃଦ୍‌ରୋଗ ବିଭାଗରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ଶ୍ରୀ ଜେଟଲୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିରଥିବା ଏମ୍ସ ପକ୍ଷରୁ ସୂଚନା ଜାରି କରାଯାଇଛି ।

ସୂଚନା ଅନୁଯାୟୀ, ୬୬ ବର୍ଷୀୟ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ଗତକାଲି ଶ୍ବାସ ପ୍ରଶ୍ବାସରେ ସମସ୍ୟା ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସର ହୃଦ୍‌ରୋଗ ବିଭାଗରେ ଭର୍ତ୍ତି କରାଯାଇଥିଲା । ଏକ ଡାକ୍ତରୀ ଟିମ ଗଠନ କରାଯାଇ ଶ୍ରୀ ଜେଟଲୀଙ୍କ ଚିକିତ୍ସା ଆରମ୍ଭ କରାଯାଇଥିଲା । ବର୍ତ୍ତମାନ ଜେଟଲିଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା,ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବଦ୍ଧନ ପ୍ରମୁଖ ଏମ୍ସ ଯାଇ ଶ୍ରୀ ଜେଟଲିଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ।

ଅରୁଣ ଜେଟଲି ଦୀର୍ଘ ଦିନ ହେବ ଅସୁସ୍ଥ ଅଛନ୍ତି । ସେ କିଡନି ସଂକ୍ରାନ୍ତ ଗୁରୁତର ସ୍ବାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଅଛନ୍ତି । ମେ’ ୨୦୧୮ରେ ସେ ୩ ମାସ ପାଇଁ ଆମେରିକା ଯାଇ କିଡନି ପ୍ରତିରୋପଣ ଅସ୍ତ୍ରୋପଚାର କରାଇଥିଲେ । ଏହା ବ୍ୟତୀତ ସେ କ୍ୟାନସର ରୋଗରେ ମଧ୍ୟ ପିଡ଼ିତ ଅଛନ୍ତି । ଏଥିପାଇଁ ସେ ଜାନୁଆରୀ ୨୦୧୯ରେ ଆମେରିକା ଯାଇ ସେଠାରେ ଚିକିତ୍ସିତ ହୋଇଥିଲେ ମଧ୍ୟ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନାହାନ୍ତି । ବିଜେପି ନେତ୍ରୀ ସ୍ୱର୍ଗତ ସୁଷମାଙ୍କ ନିଧନ ପରେ ଶ୍ରୀ ଜେଟଲିଙ୍କ ସ୍ୱାସ୍ଥ୍ୟ ଗୁରୁତର ହେବାରୁ ବିଜେପି ରାଜନୈତିକ ମହଲରେ ଚିନ୍ତାର ବାତାବରଣ ସୃଷ୍ଟି ହୋଇଛି ।

Leave a comment