ଭୁବନେଶ୍ୱରରେ ପହଞ୍ଚିଲେ ନୂଆ ସେନା ଉପମୁଖ୍ୟ ଚଣ୍ଡୀ ପ୍ରସାଦ ମହାନ୍ତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶାରେ ପହଞ୍ଚିଛନ୍ତି ନୂତନ ଭାବେ ନିଯୁକ୍ତ ହୋଇଥିବା ସେନା ଉପମୁଖ୍ୟ ଚଣ୍ଡୀ ପ୍ରସାଦ ମହାନ୍ତି । ଗତକାଲି ସେନା ଉପମୁଖ୍ୟ ଭାବେ ମନୋନୀତ ହେବା ପରେ ଆଜି ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ଚଣ୍ଡୀ ପ୍ରସାଦ ମହାନ୍ତି । ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ୧୨୦ ବାଟାଲିୟନ ପକ୍ଷରୁ ସ୍ୱାଗତ କରାଯାଇଛି । ସେ ସିଧାସଳଖ ୧୨୦ ବାଟାଲିୟନକୁ ଯାଇ ସେଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ । ପ୍ରଥମେ ସେ ବ୍ରହ୍ମପୁର ଗୋଳାବନ୍ଧ ଆର୍ମି ଏଡି କଲେଜକୁ ଯାଇଥିଲେ । ସେଠାରୁ ବାହାରି ସେ ଭୁବନେଶ୍ୱର ପହଞ୍ଚିଛନ୍ତି । ଆସନ୍ତାକାଲି ଭୁବନେଶ୍ୱରରେ ଚଣ୍ଡୀ ପ୍ରସାଦ ମହାନ୍ତିଙ୍କ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । କାଲି ସୈନିକ ସ୍କୁଲରେ ସାମ୍ବାଦିକ ସମ୍ମିଳନୀ କରିବେ ଲେଫନାଣ୍ଟ ଜେନେରାଲ୍ ଚଣ୍ଡୀ ପ୍ରସାଦ ମହାନ୍ତି । ଭାରତୀୟ ସେନାର ୪୨ ତମ ଉପମୁଖ୍ୟ ଭାବେ ଦାୟିତ୍ୱ ନେବେ ଲେଫନାଣ୍ଟ ଜେନେରାଲ୍ ଚଣ୍ଡୀ ପ୍ରସାଦ ମହାନ୍ତି । ସେ ଏବେ ‘ସର୍ଦଣ୍ଣ କମାଣ୍ଡ’ର କମାଣ୍ଡିଂ ଇନ୍ ଚିଫ୍ ଭାବେ କାର୍ଯ୍ୟ କରୁଛନ୍ତି । ତେବେ ସେନାରେ ଏପରି ପଦବୀ ପାଇବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ । ଜଗତସିଂହପୁରର ଜୟବଡ଼ ଗାଁରେ ଲେଫନାଣ୍ଟ ଜେନେରାଲ୍ ଚଣ୍ଡୀ ପ୍ରସାଦ ମହାନ୍ତିଙ୍କ ଘର ।
ପୂର୍ବରୁ ଭାରତୀୟ ସେନାର ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ସଫଳତାର ସହ କାର୍ଯ୍ୟ ତୁଲାଇଛନ୍ତି ଏହି ଓଡ଼ିଆ ଲେଫନାଣ୍ଟ ଜେନେରାଲ୍ । ଜାନୁଆରୀ ୩୧ ତାରିଖରେ ସେନାର ଉପମୁଖ୍ୟ ଥିବା ଲେଫନାଣ୍ଟ ଜେନେରାଲ୍ ଏସକେ ସାଇନି ଅବସର ନେବେ । ଏହା ପରେ ଲେଫନାଣ୍ଟ ଜେନେରାଲ୍ ଚଣ୍ଡୀ ପ୍ରସାଦ ମହାନ୍ତି ଏହି ସମ୍ମାନଜନକ ପଦବୀରେ ଅବସ୍ଥାପିତ ହେବେ ।