ଅର୍ଜୁନ୍ ସେଠୀଙ୍କ ବିୟୋଗ, ରାଜ୍ୟ ଜଣେ ବରିଷ୍ଠ ଜନନେତାଙ୍କୁ ହରାଇଲା: ସଞ୍ଜୟ ଦାସବର୍ମା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୂର୍ବତନ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଅର୍ଜୁନ ଚରଣ ସେଠୀଙ୍କ ପରଲୋକ । ପୂର୍ବତନ ମନ୍ତ୍ରୀ ତଥା ବର୍ଷିୟାନ ଜନନେତାଙ୍କ ପରଲୋକରେ ରାଜ୍ୟ ଜଣେ ବରିଷ୍ଠ ଜନନେତାଙ୍କୁ ହରାଇଛି । ଓଡ଼ିଶା ବିଧାନସଭାକୁ ସ୍ବର୍ଗତ ସେଠୀ ଭଣ୍ଡାରିପୋଖରୀ ଆସନରୁ ୨ ଥର ଓ ଭଦ୍ରକ ଲୋକସଭା ଆସନରୁ ସଂସଦକୁ ୮ ଥର ନିର୍ବାଚିତ ହୋଇଥିଲେ । ଏଥିସହ ବିଜେଡି ସଂସଦୀୟ ଦଳର ନେତା ମଧ୍ୟ ଥିଲେ ।
ଭାରତୀୟ ଜାତୀୟ କଂଗ୍ରେସରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିବା ଶ୍ରୀ ସେଠୀ ଲଗାତର ଭାବେ ଭାରତୀୟ ଜାତୀୟ କଂଗ୍ରେସର ସାଂସଦ ଭାବେ ୧୯୭୧ ଓ ୧୯୮୦ ମସିହାରେ ସଂସଦକୁ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ଜନତା ଦଳ ଏବଂ ବିଜୁ ଜନତା ଦଳ ପ୍ରାର୍ଥୀ ଭାବେ ୬ ଥର ସଂସଦକୁ ନିର୍ବାଚିତ ହେବାରେ ଜଣେ ବିରଳ ବ୍ୟକ୍ତିତ୍ୱ । ଏକ ଲମ୍ବା ସମୟ ଧରି ଓଡ଼ିଶାର ଅଣକଂଗ୍ରେସ ରାଜନୀତିରେ ଜଣେ ଲୋକପ୍ରିୟ ନେତା ହିସାବରେ ତାଙ୍କୁ ଆଜି ଆମେ ସ୍ମରଣ କରୁଛୁ । ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ତାଙ୍କ ମନ୍ତ୍ରିପରିଷଦରେ ଗୁରୁତ୍ୱପୂର୍ଣ୍ଣ ଜଳ ସମ୍ପଦ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ଭାବେ ତାଙ୍କର ଉଲ୍ଲେଖନୀୟ ଅବଦାନ ଓ
ଯୋଗଦାନକୁ ଓଡ଼ିଶାବାସୀ ସବୁଦିନ ପାଇଁ ମନେ ରଖିବେ ବୋଲି ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ପ୍ରକାଶ କରିଛନ୍ତି । ସ୍ୱର୍ଗତ ଅର୍ଜୁନ୍ ସେଠୀଙ୍କ ବିୟୋଗରେ ଶ୍ରୀ ଦାସବର୍ମା ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଶୋକସନ୍ତପ୍ତ ପରିବାର ଏବଂ ଶୁଭେଚ୍ଛୁ ଓ ସମର୍ଥକଙ୍କୁ ସମବେଦନା ଜଣାଇଛନ୍ତି ।