ଏଡିଆର୍ ରିପୋର୍ଟ: ୨୫୭ ପ୍ରାର୍ଥୀଙ୍କ ନାଁରେ ରହିଛି ଅପରାଧିକ ମାମଲା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବଡ଼ମ୍ବାର କଂଗ୍ରେସ ପ୍ରାର୍ଥୀ ବବି ମହାନ୍ତି ସବୁଠୁ ଧନୀ । ଚଳିତ ସାଧାରଣ ର୍ନିବାଚନର ଶେଷ ତଥା ୪ର୍ଥ ପର୍ଯ୍ୟାୟ ର୍ନିବାଚନ ସୋମବାର ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ରବିବାର ଇଲେକ୍ସନ ଓ୍ବାଚ ଓ ଏଡିଆର୍ ପକ୍ଷରୁ ପ୍ରାର୍ଥୀଙ୍କୁ ନେଇ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଛି । ଏହି ପର୍ଯ୍ୟାୟରେ ମୋଟ ୬ଟି ଲୋକ ସଭା ଏହା ଅଧୀନ ୪୧ଟି ବିଧାନ ସଭା ଆସନରେ ମୋଟ ୧୧୨୧ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି । ସେମାନଙ୍କ ମଧ୍ୟରୁ ୩୩୨ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି । ୨୫୭ ଜଣଙ୍କ ନାଁରେ ବଳାତ୍କାର, ହତ୍ୟା, ହତ୍ୟା ଉଦ୍ୟମ, ଅପହରଣ ଭଳି ସଙ୍ଗିନ ମାମଲା ରହିଛି । ସେମାନଙ୍କ ମଧ୍ୟରୁ ୭ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।
ସେହିପରି ସମ୍ପତ୍ତି ତାଲିକା ଭିତ୍ତିରେ ବିଜେଡିର ସର୍ବାଧିକ ୬୬% (୯୭ଜଣ) କୋଟିପତି ପ୍ରାର୍ଥୀ ରହିଛନ୍ତି । ସେହିଭଳି ବିଜେପିର ୫୨% (୭୫ଜଣ) ଏବଂ କଂଗ୍ରେସର ୫୩% (୭୩ଜଣ) କୋଟିପତି ପ୍ରାର୍ଥୀ ରହିଛନ୍ତି । ବଡ଼ମ୍ବାର କଂଗ୍ରେସ ପ୍ରାର୍ଥୀ ବବି ମହାନ୍ତି ସବୁଠୁ ଧନୀ । ତାଙ୍କ ସମ୍ପତ୍ତିର ମୂଲ୍ୟ ୧୦୬ କୋଟି ବୋଲି ସେ ତାଙ୍କ ସତ୍ୟପାଠରେ ଦର୍ଶାଇଛନ୍ତି । ସେହିଭଳି ଦ୍ୱିତୀୟ ସ୍ଥାନରେ ରହିଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନଙ୍କ ସମ୍ପତ୍ତିର ମୂଲ୍ୟ ୬୦ କୋଟି ବୋଲି ସତ୍ୟପାଠରେ ଦର୍ଶାଯାଇଛି ।