ବିଜୟଙ୍କ ରୋଡ଼ ଶୋରେ ସାମିଲ ହେଲେ ଅପରାଜିତା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାଟକୁରା ବିଧାନସଭା ଅସନ ପାଇଁ ନିର୍ବାଚନ ତାରିଖ ସ୍ପଷ୍ଟ ହୋଇ ନ ଥିବା ବେଳେ ଉଷ୍ମ ହୋଇଛି ରାଜନୈତିକ ମାହୋଲ । ପହିଲି ରଜ ଅବସରରେ ଡେରାବିଶ ବ୍ଲକ ୧୪ ନଂ ଜୋନ୍‌ର ଚାନ୍ଦୋଳ ବଜାରଠାରୁ ଭାଜପାର ଏକ ବିଶାଳ ରୋଡ୍‌ ଶୋ ଅପରାହ୍ନରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାଜପା ପ୍ରାର୍ଥୀ ବିଜୟ ମହାପାତ୍ର ଓ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ସାମିଲ ହୋଇ ବିଭିନ୍ନ ପଞ୍ଚାୟତରେ ପ୍ରଚାର କରିଥିଲେ । ବିଜେପି ଓ ବିଜୟଙ୍କ ପାଇଁ ଏହି ନିର୍ବାଚନ ଜିତିବା ଏକ ସମ୍ମାନର ବିଷୟ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ସୂଚନା ଅନୁଯାୟୀ, ପ୍ରଶାସନିକ ସେବାରୁ ଇଚ୍ଛାକୃତ ଅବସର ଗ୍ରହଣ କରିବା ପରେ ଅପରାଜିତା ଷଡ଼ଙ୍ଗୀ ବିଜେପି ପକ୍ଷରୁ ଭୁବନେଶ୍ୱର ଲୋକସଭା ଆସନରୁ ବିଜୟଲାଭ କରିଥିଲେ । ତାଙ୍କର ଜନସମ୍ପର୍କ ହିଁ ତାଙ୍କ ବିଜୟର କାରଣ ବନିଥିଲା । ତେଣୁ ଅପରାଜିତଙ୍କ ଏହି ଲୋକପ୍ରିୟତାର ଫାଇଦା ବିଜୟଙ୍କୁ ମିଳୁବୋଲି ବୁଜେପି ପକ୍ଷରୁ ଅପରାଜିତାଙ୍କୁ ଏହି ବିଶାଳ ରାଲିରେ ସାମିଲ କରାଯାଇଥିଲା ।

ଏହି ଅବସରରେ ଏହି ଜୋନ୍‌ ଅଧୀନ ଦାନପୁର ପଞ୍ଚାୟତର ଖରିଦାସାହି, ଦୋହଳି, ଦାନପୁର, ପାଣିଓଳା ବଜାର, ଯଅଁରାବାରିମୂଳ, ଅର୍ତାମୂଳ, ଭୋଳହାଟ, ଇନ୍ଦାଳୋ ଆଦି ସ୍ଥାନରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ପାଟକୁରା ଆସନରୁ ବିଜୟଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତାଇବାକୁ ଭୁବନେଶ୍ୱର ଏମ୍‌ପି ଷଡ଼ଙ୍ଗୀ ନିବେଦନ କରିଥିଲେ । ପାଟକୁରାର ସ୍ବାଭିମାନ ରକ୍ଷା ପାଇଁ ତାଙ୍କ ସଂଗ୍ରାମ ଅବ୍ୟାହତ ରହିବ ବୋଲି ବିଜୟ ତାଙ୍କ ବକ୍ତବ୍ୟରେ ଉଲ୍ଲେକ କରିଥିଲେ । ବରିଷ୍ଠ ଭାଜପା ନେତା ମାନସ ମହାନ୍ତି, ସୁକାନ୍ତ ଦ୍ୱିବେଦୀ, ଗଣେଶ ଚନ୍ଦ୍ର ସାମଲ, ସରୋଜକାନ୍ତ ନାୟକ, ବଟକୃଷ୍ଣ ସାମଲ, ୧୪ ନଂ. ଜୋନ୍‌ ସଭାପତି ପ୍ରିୟଦର୍ଶନ ସ୍ବାଇଁ, ଦାନପୁର ସରପଞ୍ଚ ବିଭୁଦେନ୍ଦୁ ପଣ୍ଡା, ବସପୁର ସରପଞ୍ଚ ଅମୃତରାଜ ବେହେରା, ସମିତିସଭ୍ୟା ସୁନିତା ବଳ ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ ।

Leave a comment