କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କୁ ଭେଟିଲେ ଅପରାଜିତା
ପ୍ରାଚୀ ନଦୀ ପୁନରୁଦ୍ଧାର ପ୍ରସଙ୍ଗ

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଐତିହ୍ୟ ସମ୍ପନ୍ନ ପ୍ରାଚୀ ନଦୀ ଆଦି ବିଲୀନ ପ୍ରାୟ । ଏହି ନଦୀର କିଭଳି ପୁନରୁଦ୍ଧାର ହେବ ଏନେଇ ଆଜି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କୁ ନୂଆଦିଲ୍ଲୀ ଠାରେ ଭେଟିଛନ୍ତି ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ ।
ପ୍ରାଚୀ ନଦୀ ଓଡ଼ିଶାର ଜନସାଧାରଣଙ୍କ ଜୀବନଯାପନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଜନଉପଯୋଗୀ ଅଟେ । ଦ୍ୱାଦଶ ଶତାବ୍ଦୀରେ ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର ନିର୍ମାଣ ନିମିତ୍ତ ବ୍ୟବହାର ହେଉଥିବା ବୃହତ ପଥରଗୁଡ଼ିକୁ ପ୍ରାଚୀ ନଦୀ ମାଧ୍ୟମରେ ପରିବହନ କରାଯାଇଥିଲା। ମା’ ମଙ୍ଗଳାଙ୍କ ପୀଠ ମଧ୍ୟ ପ୍ରାଚୀ ଉପକୂଳରେ ଅବସ୍ଥାପିତ । ହେଲେ ଦୁର୍ଭାଗ୍ୟବଶତଃ ମହାନଦୀର ଶାଖାନଦୀ କୁଶଭଦ୍ରା ନଦୀରୁ ଜଳ ପ୍ରବାହ ବନ୍ଦ ହେବା କାରଣରୁ ଆଜି ପ୍ରାଚୀ ନଦୀ ଶୁଷ୍କ ଅବସ୍ଥାରେ ରହିଛି ।
ଓଡ଼ିଶା ସରକାରଙ୍କ ଜଳସମ୍ପଦ ବିଭାଗ ପ୍ରାଚୀ ନଦୀର ପୁନରୁଦ୍ଧାର ପାଇଁ ୨୦୨୧ ସେପ୍ଟେମ୍ବରରେ ଏକ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଥିଲେ। ଏଥିପାଇଁ ୨୯୮ କୋଟି ଟଙ୍କାର ବ୍ୟୟ ଆକଳନ କରାଯାଇଛି। ପ୍ରକଳ୍ପଟି କାର୍ଯ୍ୟକାରୀ ହେଲେ ଓଡ଼ିଶାବାସୀଙ୍କ ଦୈନନ୍ଦିନ ଜୀବନରେ ଏହା ବଡ଼ ପରିବର୍ତ୍ତନ ଆଣିବାର କ୍ଷମତା ରଖୁଛି । ଏହି ପ୍ରକଳ୍ପରେ ମୋଟ୍ ୭ଟି ବ୍ରିଜ ନିର୍ମାଣ, ନଦୀ ଉପତ୍ୟକା ନବୀକରଣ, ଜଳାଶୟ ସୃଷ୍ଟି, ପାର୍ଶ୍ୱ ରାସ୍ତା, ଗ୍ରାଉଣ୍ଡ ୱାଲ୍, ରିଟେନିଂ ୱାଲ୍, ବୃକ୍ଷରୋପଣ, ସମୁଦ୍ର ମୁହାଣ ନବୀକରଣ ଆଦି କାର୍ଯ୍ୟ ଅନ୍ତର୍ଭୁକ୍ତ। ଏହାଦ୍ୱାରା ପରିବେଶ ସୁରକ୍ଷା ସହ ବହୁ ମହତ୍ୱପୂର୍ଣ୍ଣ ସ୍ଥାନର ରକ୍ଷଣାବେକ୍ଷଣ ହୋଇପାରିବ। ଏହାଦ୍ୱାରା ଭୂତଳ ଜଳସ୍ତର ବୃଦ୍ଧି ପାଇବା ସହ ଜଳର ଲବଣ ଅଂଶ ହ୍ରାସ ପାଇବା ଦ୍ୱାରା ଲୋକମାନଙ୍କୁ ପାନୀୟ ଜଳ ଯୋଗାଣରେ ମଧ୍ୟ ପ୍ରମୁଖ ସାଧନ ହୋଇପାରିବ । ଅପାତତଃ ୮୭୦୦ ହେକ୍ଟର ଚାଷଜମି ଏହା ଦ୍ୱାରା ଜଳସେଚନ ଉପଯୋଗୀ ହୋଇପାରିବ ଏବଂ ଏହାଦ୍ୱାରା କୃଷିରେ ବ୍ୟାପକ ଭାବେ ବୃଦ୍ଧି ହୋଇ ପାରିବ । ଅଧିକ ମତ୍ସଚାଷ ସହ ପର୍ଯ୍ୟଟନ ମଧ୍ୟ୍ୟ ବୃଦ୍ଧି ପାଇବ । ଏଣୁ କେନ୍ଦ୍ର ସରକାର ଏହି ପ୍ରକଳ୍ପଟିକୁ କାର୍ଯ୍ୟକାରୀ କରିବା ଲାଗି ଓଡ଼ିଶା ସରକାରଙ୍କ ସହ ଆଲୋଚନା କରନ୍ତୁ ଏବଂ ସମସ୍ତ ପ୍ରକାରର ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଅପରାଜିତା ନିବେଦନ କରିଛନ୍ତି ।