ଅନୁପ ହେବେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ !
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅନୁପ ସାଏ ହେବେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ । ଅନୁପ ସାଏ ବ୍ରଜରାଜନଗରରୁ କଂଗ୍ରେସ ଟିକେଟରେ ୩ଥର ଜିତିଥିଲେ । ୨୦୧୪ ମସିହାରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେଇଥିଲେ । ହେଲେ ବିଜେଡିକୁ ଆସିବା ପରେ ମଧ୍ୟ ବିଜେପି ପ୍ରାର୍ଥୀ ରାଧରାଣୀ ପଣ୍ଡାଙ୍କ ଠାରୁ ପରାସ୍ତ ହୋଇଥିଲେ ।
ସେହିପରି ୨୦୧୯ ବ୍ରଜରାଜନଗର ଟିକେଟ ରେସରେ ଅନୁପ ରହିଥିଲେ ହେଲେ ନବ ଆସିବା ଦ୍ୱାରା ବିଜେଡି ଅଙ୍କ ଝାରସୁଗୁଡାରେ ପରିବର୍ତ୍ତନ ହୋଇଥିଲା । ନବ ଝାରସୁଗୁଡାରୁ ବିଜେଡି ବିଧାୟକ ପ୍ରାର୍ଥୀ ହୋଇଥିଲେ । ଯାହାକୁ ନେଇ ଝାରସୁଗୁଡାରୁ ବିଜେଡି ପ୍ରାର୍ଥୀ ହୋଇଆସୁଥିବା କିଶୋର ମହାନ୍ତି ନିଜ ଅସନ୍ତୋଷ ବ୍ୟକ୍ତ କରିଥିଲେ । ତେଣୁ କିଶୋରଙ୍କୁ ବ୍ରଜରାଜନଗର ଆସନରେ ଥଇଥାନ କରାଯାଇଥିଲା ।
ଅନୁପଙ୍କୁ ମନାଇବାକୁ ସେ ସମୟରେ ତାଙ୍କୁ ବିଜେପୁରର ପ୍ରଚାର ଦାୟିତ୍ବ ଦିଆଯିବା ସହ ନିର୍ବାଚନ ପରେ ଉପଯୁକ୍ତ ଥଇଥାନ କରାଯିବା ନେଇ ପ୍ରତିଶୃତି ଦିଆଯାଇଥିଲା । ଏବେ ରାଜ୍ୟସଭା ନିର୍ବାଚନ ନାହିଁ ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ମଧ୍ୟ ସମାପ୍ତ ହୋଇସାରିଛି । ତେଣୁକରି ତାଙ୍କୁ ଏହି ପଦ ମିଳିବା ସମ୍ଭାବନା ଯଥେଷ୍ଟ ଥିବା ବିଶେଷ ସୂତ୍ରରୁ ପ୍ରକାଶ ପାଇଛି । ବିଧାନସଭା ସରିବା ଏକ ଦୁଇ ଦିନ ମଧ୍ୟରେ ଏହି ଘୋଷଣା ହେବା ସମ୍ଭାବନା ରହିଛି ।