ଅନୁଭବ-ବର୍ଷା ବିବାଦ : ଅନୁଭବଙ୍କ ବିରୋଧରେ ବର୍ଷାଙ୍କ ଏତଲା
କଟକ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଅଭିନେତା ତଥା ସାଂସଦ ଅନୁଭବ ଓ ତାଙ୍କ ପତ୍ନୀଙ୍କ ଭିତରେ ବିବାଦ ଥମିବାର ନାଁ ନେଉନି । ଗତ ଦୁଇ ଦିନ ଧରି ଅନୁଭବ ତାଙ୍କ ପତ୍ନୀଙ୍କୁ ନେଇ ଅନେକ କିଛି କହିବା ସହିତ ଦୁଇଟି ଭିଡିଓ ସେୟାର କରିଥିଲେ । ଆଉ ଏହାର ଗୋଟିଏ ଦିନ ପରେ ଅନୁଭବଙ୍କ ନାଁରେ ଏତଲା ଦେଇଛନ୍ତି ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ପୁରୀ ଘାଟ ଥାନାରେ ଅନୁଭବଙ୍କ ବିରୋଧରେ ଏହି ଏତଲା ଦେଇଛନ୍ତି ବର୍ଷା ପ୍ରିୟଦର୍ଶିନୀ ।
ଆଉ ବାରମ୍ବାର ଭିଡିଓ ଅପଲୋଡ କରି ଅଯଥାରେ ଅନୁଭବ ବିବାଦ ସୃଷ୍ଟି କରୁଥିବା କଥା କହିଛନ୍ତି ବର୍ଷା । “ମୋ ସ୍ୱାମୀଙ୍କ ସହିତ କୋର୍ଟରେ ଡିଭୋର୍ସ କେସ ଚାଲୁଥିବା ସମୟରେ ୧୯ ତାରିଖ ଦିନ ସକାଳ ସମୟରେ ସୋସିଆଲ୍ ମିଡିଆ ମାଧ୍ୟମରେ ମୋ ସ୍ୱାମୀଙ୍କର ଏକ ଭିଡିଓ ଭାଇରାଲ ହେବା କଥା ମୁଁ ଜାଣିବାକୁ ପାଇଥିଲି । ଯେଉଁ ଭିଡିଓଟି ସେ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଅପଲୋଡ୍ କରିଥିଲେ । ଏହି ଭିଡିଓରେ ସେ ମୋତେ ଭଲପାଇବା ସମ୍ପର୍କରେ ମନଗଢା କାହାଣୀ କହିଥିଲେ ।
ମୋତେ ଆକ୍ଷେପ କରି ଅନେକ ମିଛ କଥା କହିଥିଲେ ।” ଏତଲାରେ ବର୍ଷା କହିଛନ୍ତି, ୨୦୨୦ ମସିହାରେ ଅନୁଭବ ଯେତେବେଳେ ତାଙ୍କୁ ଡିଭୋର୍ସ ଦେବାକୁ ବାଧ୍ୟ କରିଥିଲେ, ସେତବେଳେ ସେ ରାଜି ନହେବାରୁ ସେ ତାଙ୍କୁ ଡରାଇଥିଲେ । ଯଦି ବର୍ଷା ତାଙ୍କୁ ଭଲରେ ଭଲରେ ୩ ଦିନ ଭିତରେ ଡିଭୋର୍ସ ନଦିଅନ୍ତି, ତେବେ ସେ ତାଙ୍କୁ ସମାଜରେ ବାଟ ଚଲେଇ ଦେବେନି ବୋଲି କହିଥିଲେ । ବର୍ଷା ତାଙ୍କ ଗୋଡ ହାତ ଧରିକି କାନ୍ଦିବା ସହିତ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ହେଲେ ବର୍ଷା ତାଙ୍କ ବୈବାହିକ ସମ୍ପର୍କକୁ ଭାଙ୍ଗିବାକୁ ଚାହୁଁନଥିଲେ ବୋଲି ଏତଲାରେ ଉଲ୍ଲେଖ କରିଛନ୍ତି । ଆଉ ଶେଷରେ ଅନୁଭବଙ୍କର ଦୁଇଟି ଯାକ ଭିଡିଓକୁ ଅନୁଧ୍ୟାନ କରି ଆଇନ୍ ଅନୁସାରେ ଦୋଷୀକୁ ଉପଯୁକ୍ତ ଦଣ୍ଡବିଧାନ କରିବାକୁ ବର୍ଷା ଅନୁରୋଧ କରିଛନ୍ତି।