ଅନୁଭବ ବର୍ଷା ବିବାଦ: ଘରୋଇ ହିଂସା ଓ ନିର୍ଯାତନା ମାମଲାର ଶୁଣାଣି ଘୁଞ୍ଚିଲା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅଭିନେତ୍ରୀ ବର୍ଷାଙ୍କ ପକ୍ଷରୁ ଅନୁଭବଙ୍କ ବିରୋଧରେ ହୋଇଥିବା ଘରୋଇ ହିଂସା ଓ ନିର୍ଯାତନା ମାମଲାର ଶୁଣାଣି ଅକ୍ଟୋବର ୧୨ ତାରିଖକୁ ଘୁଞ୍ଚିଯାଇଛି। ଅନୁଭବଙ୍କ ବିରୋଧରେ କଟକର ଏସ୍ଡିଜେଏମ୍ କୋର୍ଟରେ ରୁଜୁ ଭରଣପୋଷଣ ଆବେଦନ ଏବଂ ମହିଳା ହିଂସା ସୁରକ୍ଷା ଆଇନ ୨୦୦୫ର ଦଫା ୧୨ରେ ରୁଜୁ ମାମଲାର ଆଜି ଶୁଣାଣି ହୋଇପାରିନାହିଁ। ଜିଲ୍ଲା ସୁରକ୍ଷା ଅଧିକାରୀ ବର୍ଷାଙ୍କ ବୟାନ ଦାଖଲ କରିପାରିନଥିବାରୁ ଆସନ୍ତା ଅକ୍ଟୋବର ୧୨ ତାରିଖକୁ ଏହି ମାମଲାର ଶୁଣାଣି ଘୁଞ୍ଚିଛି। ଅନ୍ୟପକ୍ଷରେ ଘରୋଇ ହିଂସା ଓ ନିର୍ଯାତନାର ଶିକାର ପ୍ରସଙ୍ଗରେ ରୁଜୁ ଆବେଦନ ମାମଲାରେ ଆଜି ଜିଲ୍ଲା ସୁରକ୍ଷା ଅଧିକାରୀ ବର୍ଷା ରହୁଥିବା ଅନୁଭବଙ୍କ ଘରକୁ ଯାଇ ତାଙ୍କ ବୟାନ ରେକର୍ଡ କରିଛନ୍ତି।
ସେହିପରି ବର୍ଷା ଓ ଅନୁଭବଙ୍କ ବୈବାହିକ ଜୀବନକୁ ପୁନଃ ପ୍ରତିଷ୍ଠା ନିମନ୍ତେ କଟକର ପାରିବାରିକ କୋର୍ଟରେ ବର୍ଷାଙ୍କ ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି ଆସନ୍ତା ଅକ୍ଟୋବର ୧୪ ତାରିଖରେ ହେବ। ତେବେ ଅନୁଭବଙ୍କ ପକ୍ଷରୁ ବର୍ଷାଙ୍କୁ ଛାଡ଼ପତ୍ର ଦେବାକୁ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ କରାଯାଇଥିବା ଆବେଦନର ସୁପରିଚାଳନା ନିମନ୍ତେ ଏହାକୁ କଟକର ପାରିବାରିକ କୋର୍ଟକୁ ସ୍ଥାନାନ୍ତର କରିବାକୁ ସୁପ୍ରିମ କୋର୍ଟରେ ଆବେଦନ କରାଯିବ ବୋଲି ବର୍ଷାଙ୍କ ଓକିଲ ଆର୍.କେ ରଥ ସୂଚନା ଦେଇଛନ୍ତି।

Leave a comment