ଆସୁଛି ଆଉ ଏକ ବାତ୍ୟା, ୯ ରୁ ପୁଣି ବଢିବ ଶୀତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାରେ ପରିଣତ ହୋଇଛି । ଏହାର ନାମ ‘ପାବୁକ’ ରଖାଯାଇଛି । ଆସନ୍ତା ୫ ତାରିଖ ମଧ୍ୟାହ୍ନ ସୁଦ୍ଧା ଏହା ପଶ୍ଚିମ ଉତ୍ତର ଓ ୬ ତାରିଖ ରାତିରେ ଉତ୍ତର ପଶ୍ଚିମ ଦିଗ ଦେଇ ଆଣ୍ଡାମାନ ଅତିିକ୍ରମ କରିବା ସମ୍ଭାବନା ରହିଛି । ଏହା ପରେ ପାବୁକ ଉତ୍ତର – ଉତ୍ତର ପଶ୍ଚିମ ଦିଗ ଦେଇ ଗତି କରିବ। ପୁଣି ଏହା ୭ ଓ ୮ ତାରିଖ ବେଳକୁ ମ୍ୟାନମାର ଆଡକୁ ଯାଇ ଦୁର୍ବଳ ହୋଇଯିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଓଡିଶା ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ । ବାତ୍ୟା ପ୍ରଭାବରେ ରାଜ୍ୟରେ ପାଗ ମେଘୁଆ ରହିବ । ଆଣ୍ଡାମାନ ସମୁଦ୍ର ଆଡକୁ ନ ଯିବା ଲାଗି ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, ଗଞ୍ଜାମ ଏବଂ ଖୋର୍ଦ୍ଧା ଜିଲ୍ଲା ଜିଲାପାଳମାନଙ୍କୁ ସତର୍କ କରାଯାଇଛି ।ତେବେ ୯ ତାରିଖରୁ ପୁଣି ଶୀତ ପ୍ରକୋପ ବଢିବ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।