ଖୁବ୍ ଶୀଘ୍ର ରାଷ୍ଟ୍ରପତି ନିର୍ବାଚନ ନେଇ ଘୋଷଣା

ନୂଆଦିଲ୍ଲୀ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ନିର୍ବାଚନ ଆୟୋଗ ଆଗାମୀ କିଛି ଦିନରେ ରାଷ୍ଟ୍ରପତି ନିର୍ବାଚନ କାର୍ଯ୍ୟକ୍ରମ ଘୋଷଣା କରିପାରନ୍ତି । ସମ୍ବିଧାନର ୬୨ତମ ଅନୁଚ୍ଛେଦର ସନ୍ଦର୍ଭ ଅନୁସାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଆସନ୍ତା ଜୁଲାଇ ୨୪ ତାରିଖରେ ଶେଷ ହେବ ଏବଂ ଆଗାମୀ ରାଷ୍ଟ୍ରପତିଙ୍କ ନିର୍ବାଚନ ଏହା ପୂର୍ବରୁ ଶେଷ ହୋଇଯିବା ଦରକାର। ରାଷ୍ଟ୍ରପତି ନିର୍ବାଚନରେ ସଂସଦର ଉଭୟ ଗୃହର ସଦସ୍ୟ ବ୍ୟତୀତ ସମସ୍ତ ରାଜ୍ୟର ବିଧାନସଭାର ନିର୍ବାଚିତ ସଦସ୍ୟ, ଜାତୀୟ ରାଜଧାନୀ କ୍ଷେତ୍ର ଓ କେନ୍ଦ୍ର ଶାସିତ ପ୍ରଦେଶ ପୁଡୁଚେରୀର ବିଧାନସଭା ସଦସ୍ୟ ଭୋଟ ଦେଇପାରିବେ ।
ରାଜ୍ୟସଭା, ଲୋକସଭା ଅଥବା ବିଧାନସଭାର ମନୋନୀତ ସଦସ୍ୟଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ମତାଦାନ କରିବାର ଅଧିକାର ନାହିଁ । ରାଜ୍ୟର ବିଧାନ ବିଧାନ ପରିଷଦର ସଦସ୍ୟଙ୍କୁ ମଧ୍ୟ ରାଷ୍ଟ୍ରପତି ନିର୍ବାଚନରେ ଅଂଶଗ୍ରହଣ କରିବାର ଅଧିକାର ନାହିଁ । ସୂଚନାଯୋଗ୍ୟ, ୨୦୧୭ରେ ରାଷ୍ଟ୍ରପତି ନିର୍ବାଚନ ଜୁଲାଇ ୧୭ରେ ହୋଇଥିଲା ଓ ମତଗଣନା ଜୁଲାଇ ୨୦ରେ ହୋଇଥିଲା।