୩୦ରୁ ପୁଣି ଅନଶନରେ ବସିବେ ଆନ୍ନା ହଜାରେ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୩୦ତାରିଖରୁ ଅନଶନରେ ବସିବେ ସାମାଜିକ କର୍ମୀ ଆନ୍ନା ହଜାରେ । ଏ ନେଇ ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କେନ୍ଦ୍ରରେ ଲୋକପାଳ ନିଯୁକ୍ତି ଦାବିରେ ସେ ପୁଣି ଅନଶନ ଆରମ୍ଭ କରିବେ ବୋଲି ଧମକ ଦେଇଛନ୍ତି। ଲୋକପାଳ ଏବଂ ଲୋକାୟୁକ୍ତ ଅଧିନିୟମ ୨୦୧୩ ଅନୁଯାୟୀ ଭ୍ରଷ୍ଟାଚାର ବିରୋଧୀ ଲୋକପାଳ ନିଯୁକ୍ତି କରିବାରେ କେନ୍ଦ୍ର ବିଫଳ ହୋଇଥିବା ଆନ୍ନା କହିଛନ୍ତି । ସେ କହିଛନ୍ତି, ୨୦୧୩ ରେ ଲୋକପାଳ ପାସ୍ ହୋଇଥିବା ବେଳେ ୨୦୧୪ରେ କେନ୍ଦ୍ରରେ ଭାଜପା ସରକାର ଗଢିଥିଲା । କିନ୍ତୁ ୫ବର୍ଷ ପରେ ବି କେନ୍ଦ୍ର ସରକାର ଏଥିପ୍ରତି ଗୁରୁତ୍ବ ଦେଇନାହାନ୍ତି । ଏ ନେଇ ସେ ୩୨ ଥର ଚିଠି ଲେଖି ଥିଲେ ହେଁ ତାଙ୍କୁ ଉତ୍ତର ଦିଆଯାଇନାହିଁ । ଲୋକପାଳ ନିଯୁକ୍ତିରେ ବିଳମ୍ବ ହେଉଥିବା ବେଳେ କେନ୍ଦ୍ର ସରକାର କେବଳ ବାହାନାବାଜି କରୁଛନ୍ତି ବୋଲି ଆନ୍ନା କହିଛନ୍ତି । ତେଣୁ ଏହାକୁ ବିରୋଧ କରି ସେ ଆସନ୍ତା ୩୦ତାରିଖ ଗାନ୍ଧୀଜୀଙ୍କ ତିରୋଧାନ ଦିବସରୁ ତାଙ୍କ ଗ୍ରାମ ମହାରାଷ୍ଟ୍ରର ରାଲେଗାନ ସିଦ୍ଧି ଠାରେ ଅନଶନରେ ବସିବେ । ତେଲେଙ୍ଗାନାର ଜାଗୃତି ଇଣ୍ଟରନାଶନାଲ ୟୁଥ୍ ଲିଡରସିପ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନ୍ନା ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

Leave a comment