ପାଣି ଯୋଗାଣକୁ ନେଇ ପୁଣି କୋଟିଆରେ ଆନ୍ଧ୍ରର ଦାଦାଗିରି
କୋଟିଆ : କୋଟିଆ ପଞ୍ଚାୟତର ନେରେଡିବାଲାସାରେ ପାଣି ଯୋଗାଣ ପ୍ରକଳ୍ପକୁ ବନ୍ଦ କଲା ଆନ୍ଧ୍ର । ଓଡିଶା ସରକାରଙ୍କ ତରଫରୁ ଆରମ୍ଭ ହୋଇଥିବା ଜଳ ଯୋଗାଣ ପ୍ରକଳ୍ପ ଯାହା ଦ୍ୱାରା ଘରେ ଘରେ ଜଳ ଯୋଗାଇବାର ବ୍ୟବସ୍ଥା ରହିଥିଲା । କିନ୍ତୁ ଆନ୍ଧ୍ର ଅଧିକାରୀଙ୍କ ଦାଦାଗିରିରେ ବନ୍ଦହୋଇଛି ପ୍ରକଳ୍ପ କାର୍ଯ୍ୟ । ପାଣିଟାଙ୍କି କରି ଘରକୁ ଘର ଜଳ ଯୋଗାଇବା ପାଇଁ ସରକାର ଏହି ଯୋଜନା ପ୍ରସ୍ତୁତ କରିଥିଲେ ।
ଶ୍ରମିକମାନେ ରାସ୍ତା ଖୋଳି ପାଇପ ବିଛାଇବା ସମୟରେ ସାଲୁରମଣ୍ଡଲମର ସରକାରୀ ଅଧିକାରୀ ଆସି ଏହାକୁ ବିରୋଧ କରିଥିଲେ । ରାସ୍ତା ଆନ୍ଧ୍ର ସରକାରଙ୍କର ଦାବି କରି ଏହି ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ କରି ଦେଇଥିଲେ ଅଧିକାରୀ । ସାଲୁର ଗ୍ରାମାଞ୍ଚଳ ଥାନାରେ ଠିକାଦାର ବିରୋଧରେ ମଧ୍ୟ ଅଭିଯୋଗ ହୋଇଛି । ସେହିପରି ପଟାଙ୍ଗୀ ବ୍ଲକ ବଙ୍ଗାରଗୁଡ଼ି ଗାଁକୁ ନିଜର ଦାବି କରୁଛି ଆନ୍ଧ୍ର । ଗାଁର ଲୋକଙ୍କୁ ରାସନ ସାମଗ୍ରୀ, ଆବାସ ଗୃହ ଯୋଗାଇବା ସହ ପିଲାଙ୍କ ପାଠ ପଢିବା ପାଇଁ ଆନ୍ଧ୍ର ସରକାର ବିଭିନ୍ନ ବ୍ୟବସ୍ଥା କରୁଥିବା ସାମ୍ନାକୁ ଆସିଛି । ଗାଁରେ ଶ୍ରେଣୀ ଗୃହ ଥିବା ସତ୍ତେ୍ୱ କୌଣସି ଶିକ୍ଷକ ପାଠ ପଢାଇବାକୁ ଆସୁନଥିବାରୁ ଶିକ୍ଷା ବାଧାପ୍ରାପ୍ତ ହେଉଛି । ଗ୍ରାମବାସୀଙ୍କୁ ଓଡ଼ିଶା ସରକାରଙ୍କ ତରଫରୁ କୌଣସି ସୁବିଧା ସୁଯୋଗ ମିଳୁ ନଥିବାରୁ ଗ୍ରାମବାସୀ ଆନ୍ଧ୍ର ସହ ମିଶିବା ପାଇଁ ପ୍ରସ୍ତୁତ ଥିବା ଅଭିଯୋଗ କରିଛନ୍ତି ।