୪ ବର୍ଷ ପରେ ହାଇକୋର୍ଟ ପାଇଲା ଆନ୍ଧ୍ର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତେଲେଙ୍ଗାନା ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇବାର ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିବା ପରେ ଆନ୍ଧ୍ରପ୍ରଦେଶକୁ ମିଳିଛି ହାଇକୋର୍ଟ । ନୂଆ ବର୍ଷରୁ ଆନ୍ଧ୍ରପ୍ରଦେଶରେ ନୂଆ ହାଇକୋର୍ଟ ଆରମ୍ଭ ହୋଇଛି । ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଇ.ଏସ୍‌.ଏଲ୍‌ ନରସିଂହା ମଙ୍ଗଳବାର ବିଜୟଓ୍ବାଡ଼ା ରେ ଆୟୋଜିତ ଏକ ଉତ୍ସବରେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ସି. ପ୍ରବୀଣ କୁମାର ଏବଂ ଅନ୍ୟ ୧୩ ବିଚାରପତିଙ୍କୁ ଶପଥପାଠ କରାଇଛନ୍ତି । ଶପଥ ନେଇଥିବା ୧୩ ବିଚାରପତି ହେଲେ ଜଷ୍ଟିସ୍‌ ଏସ୍‌.ଭି. ଭଟ୍ଟ, ଏ.ଭି. ଶେଷ ସାଇ, ଏମ୍‌. ସୀଥାରାମା ମୂର୍ତ୍ତି, ୟୁ. ଦୁର୍ଗାପ୍ରସାଦ ରାଓ, ଟି. ସୁନୀଲ ଚୌଧ୍‌ରୀ, ଏମ୍‌. ସତ୍ୟନାରାୟଣ ମୂର୍ତ୍ତି, ଜି. ଶ୍ୟାମାପ୍ରସାଦ, ଜେ. ଉମାଦେବୀ, ଏନ୍‌. ବାଲାଯୋଗୀ, ଟି. ରଜନୀ, ଡିଭିଏସ୍‌ଏସ୍‌ ସୌମ୍ୟଜୁଲୁ, କେ. ବିଜୟଲକ୍ଷ୍ମୀ ଏବଂ ଏମ୍‌. ଗଙ୍ଗାରାଓ।

ଜାନୁୟାରୀ ୧ରୁ ଆନ୍ଧ୍ରପ୍ରଦେଶରେ ସ୍ବତନ୍ତ୍ର ଭାବେ ହାଇକୋର୍ଟ କାର୍ଯ୍ୟକ୍ଷମ ହେବ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତ ୨୭ ତାରିଖରେ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ । ୨୦୧୪ ଜୁନ୍‌ ୨ରେ ଆନ୍ଧ୍ରପ୍ରଦେଶରୁ ଅଲଗା ହୋଇ ତେଲେଙ୍ଗାନା ସ୍ବତନ୍ତ୍ର ରାଜ୍ୟ ଗଠନ ହେବା ଦିନଠାରୁ ଦୁଇରାଜ୍ୟ ପାଇଁ ଗୋଟିଏ ହାଇକୋର୍ଟ ଥିଲା । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌.ଚନ୍ଦ୍ରାବାବୁ ନାଇଡୁ ଏହାକୁ ‘ଐତିହାସିକ ଦିନ’ ବୋଲି କହିଛନ୍ତି । ନୂଆ ହାଇକୋର୍ଟ ପାଇଁ କୋଠା ନିର୍ମାଣ ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ବିଜୟଓ୍ବାଡ଼ାସ୍ଥିତ ମୁଖ୍ୟମନ୍ତ୍ରୀଙ୍କ କ୍ୟାମ୍ପ୍‌ ଅଫିସକୁ ଅସ୍ଥାୟୀ କୋର୍ଟ ପରିସରରେ ପରିବର୍ତ୍ତିତ କରାଯାଇଛି ।

Leave a comment