ମାସ୍କରେ ବ୍ୟତିକ୍ରମ ଘଟିଲେ ୫୦୦ ଟଙ୍କା ଜୋରିମାନା

0

ନୂଆଦିଲ୍ଲୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜଧାନୀ ଦିଲ୍ଲୀରେ ବିଗତ ୨୪ ଘଣ୍ଟାରେ ୧୦୦୯ ନୂଆ କୋଭିଡ୍ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ପୂର୍ବଦିନ ତୁଳନାରେ ଏହା ୬୦ ପ୍ରତିଶତ ବୃଦ୍ଧି ପାଇଥିବା କୁହାଯାଇଛି । ଏହାବ୍ୟତୀତ ଏପ୍ରିଲ ୧୧ରୁ ୧୮ ମଧ୍ୟରେ ଦିଲ୍ଲୀରେ ପଜିଟିଭ୍ ହାର ୫.୭ ପ୍ରତିଶତକୁ ମଧ୍ୟ ବୃଦ୍ଧି ପାଇଛି । ଦୈନିକ ସଂକ୍ରମଣରେ ବୃଦ୍ଧି ଘଟୁଥିବା ସତ୍ତ୍ୱେ ହସ୍ପିଟାଲରେ କୋଭିଡ୍ ରୋଗୀଙ୍କ ସଂଖ୍ୟା ସେଭଳି ଉଦ୍ବେଗଜନକ ନଥିବା କୁହାଯାଇଛି । ଅପରପକ୍ଷରେ କିଛିଦିନର ବ୍ୟବଧାନ ପରେ ରାଜଧାନୀ ଦିଲ୍ଲୀରେ ମାସ୍କ୍ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି ।

ଏଣିକି ସର୍ବସାଧାରଣ ସ୍ଥାନକୁ ଯିବା ସମୟରେ ପ୍ରତ୍ୟେକ ବ୍ୟକ୍ତି ମାସ୍କ୍ ପିନ୍ଧିବାକୁ ବାଧ୍ୟ ଏବଂ ଏଥିରେ ବ୍ୟତିକ୍ରମ ଘଟିଲେ ସଂପୃକ୍ତ ବ୍ୟକ୍ତିଙ୍କୁ ୫୦୦ ଟଙ୍କା ଜୋରିମାନା ଗଣିବାକୁ ପଡିବ ବୋଲି ଡିଡିଏମ୍ଏ (ଦିଲ୍ଲୀ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟୀ) ପକ୍ଷରୁ ବୁଧବାର ସାନି ବିଜ୍ଞପ୍ତି ଜାରି କରାଯାଇଛି । ବୁଧବାର ଗୋଟିଏ ଦିନରେ ଦିଲ୍ଲୀରେ ୧୦୦୯ ନୂଆ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହେବାପରେ ଏହାକୁ ନିୟନ୍ତ୍ରଣ କରିବାକୁ ଡିଡିଏମ୍ଏ ପକ୍ଷରୁ ଜରୁରୀ ବୈଠକ ଆୟୋଜିତ ହୋଇ ଏଭଳି ନିଷ୍ପତ୍ତି ନିଆଯାଇଛି । ତେବେ ଦୈନିକ ପଜିଟିଭ୍ ଓ ମୃତ୍ୟୁହାର ବିପଦ ସଙ୍କେତ ଟପିନଥିବାରୁ ଏତେଟା ଚିନ୍ତିତ ହେବାର କୌଣସି କାରଣ ନାହିଁ ବୋଲି କୁହାଯାଇଛି । ଇତିପୂର୍ବରୁ ଏନ୍ସିଆର (ନ୍ୟାସନାଲ କ୍ୟାପିଟାଲ ରିଜିଅନ୍) ଅନ୍ତର୍ଗତ ନୋଏଡା, ଗୁରୁଗ୍ରାମ ଓ ଗାଜିଆବାଦରେ ମଧ୍ୟ ମାସ୍କ୍ ପରିଧାନକୁ ବାଧ୍ୟତାମୂଳକ କରାଯାଇସାରିଛି ।

Leave a comment