ମଣିଷ ଶରୀରରେ କରୋନା ଭ୍ୟାକସିନର ସଫଳ ପ୍ରୟୋଗ!
ଓଡ଼ିଶା ଫାଷ୍ଟ(ବ୍ୟୁରୋ):କରୋନା ଭାଇରସ ସଂକ୍ରମଣ ନିରନ୍ତର ଭାବରେ ବଢ଼ି ଚାଲିଛି। ଏହାରି ଭିତରେ ଆମେରିକାର ଫାର୍ମା କମ୍ପାନୀ Moderna Inc. ଭ୍ୟାକସିନ୍ ବାହାର କରିଛି। ଯାହାକି ମଣିଷ ଶରୀରରେ ପ୍ରୟୋଗ ହେବା ପରେ ସଫଳ ହୋଇଛି ବୋଲି ସେ ଦାବି କରିଛି। ପୂର୍ବରୁ ଯେଉଁସବୁ ଭ୍ୟାକସିନ୍ ବାହାରିଛି ତାହା ଜୀବଜନ୍ତୁଙ୍କ ଉପରେ ସଫଳ ହୋଇଥିଲା, ମଣିଷ ଶରୀରରେ ନୁହେଁ। ଏବେ Moderna Inc. ଦାବି କରିଛି ସେ ବାହାର କରିଥିବା ଭ୍ୟାକସିନ ୪୫ ଜଣ ସୁସ୍ଥ ମଣିଷଙ୍କ ଶରୀରରେ ପ୍ରୟୋଗ କରି ସଫଳ ହୋଇଛି।ଏହି ଭ୍ୟାକସିନ୍ ମଣିଷ ଶରୀରରେ ପ୍ରୟୋଗ ହେବା ପରେ ଆଣ୍ଟିବଡ଼ି ତିଆରି କରୁଛି। ପରିଣାମସ୍ୱରୂପ କରୋନା ଭାଇରସ ଦୁର୍ବଳ ହୋଇଯିବ। ତେବେ ଏହି ପରୀକ୍ଷା ଅଳ୍ପ ଲୋକଙ୍କ ଉପରେ ହୋଇଛି, ଆଗାମୀ ଦିନରେ ଅଧିକ ଲୋକଙ୍କ ଉପରେ ପ୍ରୟୋଗ କରିବା ପରେ ରେଜଲ୍ଟ ଜଣାପଡ଼ିବ ବୋଲି କମ୍ପାନୀର ସିଇଓ ଷ୍ଚିଫନ ବନସେଲ କହିଛନ୍ତି। ଏହି କମ୍ପାନୀ ଜାନୁଆରୀ ପାଖରୁ ଭ୍ୟାକସିନ୍ ବାବଦରେ ଗବେଷଣା କରୁଛି।କିଛି ଲୋକଙ୍କ ଶରୀରରେ ଭ୍ୟାକସିନର ମାତ୍ରା ଅଧିକ ଦିଆଯାଇଥିଲା ସେମାନେ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ, ଆଉ କିଛି ବ୍ୟକ୍ତି ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରିଥିଲେ। ସେହିପରି ଆଉ କିଛି ବ୍ୟକ୍ତିଙ୍କ ଶରୀରରେ ୫୦ ପ୍ରତିଶତ ଡୋଜ୍ ଦିଆଯାଇଥିଲା। ସେମାନଙ୍କ ଶରୀରରେ ଚର୍ମ ଲାଲ୍ ହୋଇଯାଉଥିଲା। ଏହାବାଦ ଜ୍ୱର, ବାନ୍ତି, ମୁଣ୍ଡ ବ୍ୟଥା ହେଉଥିବାର ଦେଖିବାକୁ ମିଳିଛି। ତେବେ ଏହି ସବୁ ଲକ୍ଷଣକୁ ଗୋଟିଏ ଦିନରେ ଠିକ୍ କରି ଦେଇଥିଲେ ଗବେଷକମାନେ।