ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ଅମର, ସସ୍ମିତ ଓ ବିଜେପି ପ୍ରାର୍ଥୀ ଅଶ୍ୱିନୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟସଭାକୁ ଆଜି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ବିଜେଡି ନେତା ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଓ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ । ରାଜ୍ୟର ଖାଲିଥିବା ୩ଟି ରାଜ୍ୟସଭା ଆସନ ପାଇଁ କେବଳ ୩ଜଣ ପ୍ରାର୍ଥୀ ରହିଥିବାରୁ ସେମାନେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ରିଟର୍ଣ୍ଣିଂ ଅଫିସର ଆଜି ଘୋଷଣା କରିଛନ୍ତି ।
ସୂଚନା ଅନୁଯାୟୀ, ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ ଜଣାଇଥିବା ବିଜେଡି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସିଟ ଦେଇଛି । ସେହିପରି ଅଚ୍ୟୁତ ସାମନ୍ତଙ୍କ ସିଟ୍କୁ ଦଳ ଅମର ପଟ୍ଟନାୟକଙ୍କୁ ଦେଇଛି । ସୌମ୍ୟରଞ୍ଜନ ଓ ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟକାଳ ୨୦୨୪ ଅର୍ଥାତ ଆଉ ୫ବର୍ଷ ଥିବାବେଳେ ପ୍ରତାପ ଦେବଙ୍କ ବଦଳରେ ସସ୍ମିତଙ୍କୁ ବିଜେଡି ରାଜ୍ୟସଭାକୁ ପଠାଇଛି । ଯାହାର କାର୍ଯ୍ୟକାଳ ୨୦୨୨ ପର୍ଯ୍ୟନ୍ତ ଅଛି ଅର୍ଥାତ ଆଉ ୩ ବର୍ଷ । ଚଳିତ ନିର୍ବାଚନରେ ଅଚ୍ୟୁତ ଲୋକସଭାକୁ ନିର୍ବାଚିତ ଜୋଇଥିବା ବେଳେ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ପ୍ରତାପ ଦେବ ବିଧାନସଭାକୁ ନିର୍ବାଚିତ ହେବାରୁ ଏହି ତିନୋଟି ରାଜ୍ୟସଭା ଆସନ ଖାଲି ପଡିଥିଲା ।