ଏପ୍ରିଲ ୨୬ ରୁ ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଛୁଟି ଘୋଷଣା କଲେ ରାଜ୍ୟ ସରକାର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମଗ୍ର ରାଜ୍ୟରେ ଅସହ୍ୟ ଗ୍ରୀଷ୍ମପ୍ରବାହ ଜାରି ରହିଛି । ପ୍ରାୟ ସମସ୍ତ ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହୁଥିବାରୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରିଛି । ଆସନ୍ତାକାଲି ଅର୍ଥାତ ଏପ୍ରିଲ ୨୬ ତାରିଖ ଠାରୁ ୫ ଦିନ ପାଇଁ ଛୁଟି ରହିବ । ଅର୍ଥାତ ଆସନ୍ତା କାଲିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ରହିବ ନେଇ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ଅପରପକ୍ଷରେ ସ୍କୁଲ ଛୁଟି ସତ୍ତ୍ୱେ ମାଟ୍ରିକ ଓ +୨ ପରୀକ୍ଷା ଚାଲୁ ରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ପ୍ରତାପ କୁମାର ମିଶ୍ର ଏନେଇ ଓସେପା, ଓଏଭିଏସ, ଏମଡିଏମ, ଏଚଏସସି, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ଉଚ୍ଚ଼ ଶିକ୍ଷା ନିର୍ଦ୍ଦେଶକ, ଏସ୍ସିଇଆରଟି ନିର୍ଦ୍ଦେଶକ, ସିଏଚଏସଇ ଅଧ୍ୟକ୍ଷ, ବିଏସଇ ସଭାପତିଙ୍କୁ ଚିଠି ଲେଖି ଜଣାଇଛନ୍ତି । ଶ୍ରୀ ମିଶ୍ର କହିଛନ୍ତି ଯେ, ରାଜ୍ୟରେ ପ୍ରବଳ ଗ୍ରୀଷ୍ମଲହରକୁ ଦୃଷ୍ଟିରେ ରଖି ସ୍କୁଲ ଗୁଡିକରେ ଅସ୍ଥାୟୀ ଭାବେ ପାଠପଢା ସ୍ଥଗିତ ରଖାଯାଇଛି । ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଏହି ସମୟରେ ଚାଲୁ ରହିବ ବୋଲି ସେ ସୂଚନା ଦେଇଛନ୍ତି ।