ସର୍ବଦଳୀୟ ବୈଠକ: ନବୀନଙ୍କ ହଁ, ମମତାଙ୍କ ନା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି । ଲୋକସଭାରେ ପ୍ରତିନିଧିତ୍ୱ ଥିବା ସମସ୍ତ ରାଜନୈତିକ ଦଳର ସଭାପତିଙ୍କ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ପ୍ରାୟ ଅଧିକାଂଶ ଦଳର ମୁଖ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଥିରେ ଯୋଗ ଦେବେ ନାହିଁ ବୋଲି କହିଛନ୍ତି । ଏଥିପାଇଁ ସେ ସଂସଦୀୟ ବ୍ୟାପାରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଚିଠି ଲେଖି ସ୍ପଷ୍ଟ କରିଛନ୍ତି।
ସୂଚନାଯୋଗ୍ୟ, ଉକ୍ତ ସର୍ବଦଳୀୟ ବୈଠକରେ ଗୋଟିଏ ଦେଶ ଗୋଟିଏ ର୍ନିବାଚନ ଓ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ସମେତ ଅନ୍ୟ କେତେକ ମହତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯିବ । ତେବେ ଏହି ବୈଠକରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ ବୋଲି ଜଣାପଡିଛି । ଏଥିନେଇ ବୁଧବାରଠାରୁ ନବୀନ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି । ସେ ନୂଆଦିଲ୍ଲୀରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଯୋଗଦେବେ । କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏ ନେଇ ବିଜେଡି ସୁପ୍ରିମୋଙ୍କୁ ପତ୍ର ଲେଖି ନିମନ୍ତ୍ରଣ କରିଛନ୍ତି ।