ବିଶାଖାପାଟଣା ବିମାନବନ୍ଦରରୁ ସମସ୍ତ ଉଡ଼ାଣ ବାତିଲ

0

ବିଶାଖାପାଟଣା(ଓଡ଼ିଶା ଫାଷ୍ଟ ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ଅସାନି ଯୋଗୁଁ ମଙ୍ଗଳବାର ବିଶାଖାପାଟଣା ବିମାନ ବନ୍ଦରରୁ ସମସ୍ତ ଉଡ଼ାଣକୁ ବନ୍ଦ କରିଦିଆଯାଇଛି । ବାତ୍ୟା ଆନ୍ଧ୍ରପ୍ରଦେଶର ନିକଟତର ହେଉଥିବା ଏବଂ ଭାରୀ ବର୍ଷା ଓ ପବନର ସମ୍ଭାବନା ଥିବାରୁ ବନ୍ଦର କର୍ତ୍ତୃପକ୍ଷ ସର୍ତକତାମୂଳକ ଭାବେ ଏହି ନିଷ୍ପତ୍ତି ନେଇଛନ୍ତି । ଫଳରେ ଇଣ୍ଡିଗୋ ତା’ର ସମସ୍ତ ଉଡ଼ାଣକୁ ମଙ୍ଗଳବାର ବାତିଲ କରିଥିବା ବେଳେ ଏୟାର୍ ଏସିଆର ଦିଲ୍ଲୀ-ବିଶାଖାପାଟଣା ଏବଂ ବେଙ୍ଗାଲୁରୁ-ବିଶାଖାପାଟଣା ଉଡ଼ାଣକୁ ବାତିଲ କରିଛି ।

ଏୟାର୍ ଇଣ୍ଡିଆ ମଧ୍ୟ ମୁମ୍ବାଇ-ରାୟପୁର-ବିଶାଖାପାଟଣା ଏବଂ ଦିଲ୍ଲୀ-ବିଶାଖାପାଟଣା ଉଡ଼ାଣକୁ ବାତିଲ କରିଛି । ବାତ୍ୟା ପ୍ରଭାବରେ ସୋମବାର ପ୍ରବଳ ପବନ ସହ ପାଗ ଖରାପ ରହିବା କାରଣରୁ ବିମାନ ବନ୍ଦରରେ ଉଡ଼ାଣ ପ୍ରଭାବିତ ହୋଇଥିଲା । ପାଗ ଖରାପ ଯୋଗୁଁ କୁର୍ନୁଲ୍, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦରୁ ଆସିଥିବା ବିମାନଗୁଡ଼ିକ ଏଠାରେ ଓହ୍ଲାଇ ନପାରି ଫେରିଯାଇଥିଲା । ବାତ୍ୟା ‘ଅସାନି’ ନିକଟତର ହେଉଥିବାରୁ ରାଜ୍ୟର ଉପକୂଳ ଏବଂ ବିଭିନ୍ନ ତଳିଆ ଅଞ୍ଚଳରେ ପବନ ସହ ବର୍ଷା ଲାଗିରହିଛି ।

Leave a comment