ରାଜ୍ୟରେ ୫୦ କୋଟି ଖର୍ଚ୍ଚରେ ସବୁ ଡ୍ୟାମ୍ ପର୍ଯ୍ୟଟନସ୍ଥଳ ହେବ

0

ଭୁବନେଶ୍ୱର : ଓଡ଼ିଶା ସରକାର ଏସବୁ ସ୍ଥାନର ବିକାଶ କରି ଏଗୁଡ଼ିକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାପାଇଁ ଚିନ୍ତା କରିଛନ୍ତି । ଆଗାମୀ ତିନିବର୍ଷରେ ଏଥିପାଇଁ ରାଜ୍ୟ ସରକାର ୫୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି ।

ରାଜ୍ୟରେ ୧୬୩ଟି ବଡ଼ ଡ୍ୟାମ୍ ରହିଥିବା ବେଳେ ସେଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧୮ଟିର ବିକାଶ ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥିପାଇଁ ଚଳିତ ବର୍ଷ ୫ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ୨୦୨୩ରେ ୨୭ କୋଟି ଏବଂ ୨୦୨୪ରେ ୧୮ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଡ୍ୟାମ୍ ଥିବା ସ୍ଥାନର ଚତୁଃର୍ପାଶ୍ୱକୁ ସମ୍ପୂର୍ଣ୍ଣ ରୂପାନ୍ତରିତ କରିବା ପାଇଁ ଏହି ଅର୍ଥ ବିନିଯୋଗ ହେବ ।

ବିଶେଷ କରି ସବୁ ସ୍ଥାନକୁ ଗମନାଗମନ ସୁବିଧା, ସ୍ଥାନର ସୌନ୍ଦର୍ଯ୍ୟକରଣ, ଲ୍ୟାଣ୍ଡସ୍କେପିଂ ଇତ୍ୟାଦି କରାଯିବ । ପରେ ସେହି ଅଞ୍ଚଳରେ ମ୍ୟୁଜିୟମ୍, ଆକ୍ଟିଭିଟି ସେଣ୍ଟର, ଅଡିଓ ଭିଜୁଆଲ୍ ସୋ, ଜଳରାଶିରେ ବୋଟିଂ ଓ କ୍ୟାମ୍ପିଂ ପାଇଁ ଭିତ୍ତିଭୂମି ତିଆରି ହେବ । ଏହାଦ୍ୱାରା ବହୁ ସଂଖ୍ୟାରେ ପର୍ଯ୍ୟଟକମାନେ ଏହି ସ୍ଥାନଗୁଡ଼ିକ ପ୍ରତି ଆକୃଷ୍ଟ ହେବା ସହ ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ଆହୁରି ସୁଦୃଢ଼ ହେବ ।
ରାଜ୍ୟ ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ କହିବାନୁଯାୟୀ, ଜଳସମ୍ପଦ ବିଭାଗ ପକ୍ଷରୁ ରୂପାନ୍ତରଣ କାର୍ଯ୍ୟ ଶେଷ ହେବାପରେ ଏଥିମଧ୍ୟରୁ କିଛି ସ୍ଥାନକୁ ରାଜ୍ୟ ପର୍ଯ୍ୟଟନ ବିଭାଗକୁ ହସ୍ତାନ୍ତର କରାଯିବ । ଯଦ୍ୱାରା ସେହି ଅଞ୍ଚଳରେ ଆହୁରି ଉନ୍ନୟନମୂଳକ କାର୍ଯ୍ୟ ହୋଇପାରିବ ଏବଂ ରକ୍ଷଣାବେକ୍ଷଣ ମଧ୍ୟ ସଠିକ୍ ଢଙ୍ଗରେ ହେବ । ଏଥିପାଇଁ ଡ୍ୟାମ୍ ଥିବା ଜିଲ୍ଲାମାନଙ୍କରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହେବ । ଏହି କମିଟି ସାହାଯ୍ୟରେ ରୂପାନ୍ତରଣ କାର୍ଯ୍ୟ କରାଯିବ । ସେହିଭଳି କେଉଁ କେଉଁ ସ୍ଥାନରେ ପ୍ରଥମେ ବିକାଶ କାମ ହେବ, ତାହା ମଧ୍ୟ କମିଟି ଚୂଡ଼ାନ୍ତ କରିବ ।

Leave a comment