ରଥଯାତ୍ରା ସିଧାପ୍ରସାରଣ, ସବୁ ଚ୍ୟାନେଲକୁ ମିଳିଲା ଅନୁମତି 

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଏକ ର୍ନିଦ୍ଦିଷ୍ଟ ଚ୍ୟାନେଲ ପ୍ରସାରଣ ପାଇଁ ଯେଉଁ କଟକଣା ଲାଗୁ କରିବାକୁ ଯୋଜନା କରାଯାଇଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ସବୁ ଟିଭି ଚ୍ୟାନେଲ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ସ୍ନାନପୂର୍ଣ୍ଣିମାଠାରୁ ଆରମ୍ଭ କରି ରଥଯାତ୍ରା, ବାହୁଡ଼ା, ସୁନାବେଶ, ଅଧରପଣା ଓ ନୀଳାଦ୍ରିବିଜେର ସିଧାପ୍ରସାରଣ କରିପାରିବେ । ମଙ୍ଗଳବାର ଶ୍ରୀମନ୍ଦିର ପରିଚାଳନା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କିଛି ସର୍ତ୍ତ ରଖାଯାଇଛି । ଚ୍ୟାନେଲଗୁଡ଼ିକ ଏ ନେଇ ଶ୍ରୀମନ୍ଦିର ପାଣ୍ଠିକୁ କେତେକ ଆର୍ଥିକ ଅନୁଦାନ ସହାୟତା କରିବେ । ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ସବୁ ଟିଭି ଚ୍ୟାନେଲର ମାଲିକମାନଙ୍କୁ ଡାକି ଏନେଇ ଏକ ବୈଠକ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । କୌଣସି ଚ୍ୟାନେଲ ରଥଯାତ୍ରା ପ୍ରସାରଣରୁ ବାଦ ପଡ଼ିବନି ବୋଲି ନିଷ୍ପତ୍ତି ହୋଇଛି ।

ସୂଚନାଯୋଗ୍ୟ, ଚଳିତବର୍ଷ ରଥଯାତ୍ରାର ସିଧାପ୍ରସାରଣ ସମସ୍ତ ଟିଭି ଚ୍ୟାନେଲ କରିପାରିବେ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ସିଧା ପ୍ରସାରଣ ନିମନ୍ତେ ସମସ୍ତ ଟିଭି ଚ୍ୟାନେଲ ମଧ୍ୟରେ ବିଡିଂ କରାଯିବ । ଏବଂ ଯେକୌଣସି ଗୋଟିଏ ଚ୍ୟାନେଲକୁ ସିଧା ପ୍ରସାରଣ ନିମନ୍ତେ ଅନୁମତି ଦିଆଯିବ ବୋଲି ସ୍ଥିର ହୋଇଥିଲା । ତେବେ ଏ ନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର ହୋଇଛି ।

Leave a comment