ଫାଶୀଖୁଣ୍ଟରେ ଝୁଲିଲେ ‘ନିର୍ଭୟା’ ଦୋଷୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୧୬ ଡିସେମ୍ବର, ୨୦୧୨ ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀ ମୁକେଶ ସିଂହ (୩୨), ପବନ ଗୁପ୍ତା (୨୫), ବିନୟ ଶର୍ମା (୨୬) ଓ ଅକ୍ଷୟ ସିଂହ (୩୧)କୁ ଆଜି ସକାଳ ସାଢେ ୫ଟାରେ ଫାଶୀ ଦିଆଯାଇଛି । ଦୋଷୀମାନଙ୍କ ସମସ୍ତ ପିଟିସନ୍କୁ ଗତକାଲି ସୁପ୍ରିମ୍ କୋର୍ଟ ଏବଂ ପଟିଆଲା ହାଉସ କୋର୍ଟ ଖାରଜ କରିଦେବା ପରେ ୪ ଦୋଷୀଙ୍କୁ ତିହାର ଜେଲ୍ରେ ଫାଶୀ ଦିଆଯାଇଛି।
ଶେଷ ମୁହୂର୍ତରେ ଫାଶୀ ଟାଳିବାକୁ ନିର୍ଭୟା ଦୋଷୀଙ୍କ ଶେଷ ଉଦ୍ୟମ ମଧ୍ୟ ପଣ୍ଡ ହୋଇଯାଇଛି। ଦୋଷୀଙ୍କୁ ତରବରିଆ ଭାବେ ଫାଶୀ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ହାଇକୋର୍ଟ ଦୋଷୀଙ୍କ ପକ୍ଷର ଏହି ଆବେଦନର ଶୁଣାଣି କରି ଏହାକୁ ଗ୍ରହଣ କରିବେ ନାହିଁ ବୋଲି ସ୍ପଷ୍ଟ କରିଦେଇଥିଲେ। ଆବେଦନର କୌଣସି ଆଧାର ନାହିଁ, ନୂଆ ଯୁକ୍ତି ନାହିଁ କି ନୂଆ ସତ୍ୟପାଠ ନାହିଁ ବୋଲି ହାଇକୋର୍ଟ ଗତକାଲି କହିଥିଲେ । ହାଇକୋର୍ଟ ଦୋଷୀଙ୍କ ଓକିଲ ଏ.ପି. ସିଂହଙ୍କୁ କହିଥିଲେ, ଦୋଷୀମାନଙ୍କର ଭଗବାନଙ୍କୁ ସାକ୍ଷାତ କରିବାର ସମୟ ପାଖେଇ ଆସିଲାଣି। ଏଣୁ ନିଜ ସମୟ ସହ କୋର୍ଟର ସମୟ ନଷ୍ଟ ନ କରନ୍ତୁ । ଏହାପରେ ରାତି ପ୍ରାୟ ୧ଟା ବେଳେ ଏ.ପି. ସିଂହ ସୁପ୍ରିମ୍କୋର୍ଟ ରୋଜିଷ୍ଟ୍ରାରଙ୍କ ବାସଭବନକୁ ଯାଇ ପୁଣି ଶୁଣାଣି ପ୍ରକ୍ରିୟା ଆରମ୍ଭ କରିବାକୁ ଆଲୋଚନା କରିଥିଲେ। ଫଳରେ ସୁପ୍ରିମ କୋର୍ଟରେ ମଧ୍ୟରାତ୍ରି ଶୁଣାଣି ଆରମ୍ଭ ହୋଇଥିଲା। ରାଷ୍ଟ୍ରପତିଙ୍କ ରାଜକ୍ଷମା ଆବେଦନକୁ ଚାଲେଞ୍ଜ କରି ହୋଇଥିବା ମାମଲାର ଶୁଣାଣି ସୁପ୍ରିମ କୋର୍ଟ କରିଥିଲେ।
ଏହାପରେ ନିର୍ଭୟା ଦୋଷୀ ପବନ ଗୁପ୍ତା ଅପରାଧ ସମୟରେ ନାବାଳକ ଥିବା ଦର୍ଶାଇ ଫାଶୀ ରୋକାଯାଉ ବୋଲି ତାର ଓକିଲ ଏ.ପି. ସିଂହ ଯୁକ୍ତି ରଖିଥିଲେ । ରାଷ୍ଟ୍ରପତି .ଖୋଲାମନରେ ରାଜକ୍ଷମାର ବିଚାର କରିନାହାନ୍ତି ବୋଲି କହିଥିଲେ। ମାତ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ୍ ତୁଷାର ଗୁପ୍ତା ଏହାର କୌଣସି ଆଧାର ନ ଥିବା.ଯୁକ୍ତି ବାଢ଼ିଥିଲା।
ଶେଷରେ ସୁପ୍ରିମ କୋର୍ଟ ଆବେଦନରେ କୌଣସି ନୂତନତ୍ବ ନ ଥିବା ଓ ଏହାର ଆଧାର ନ ଥିବା ଦର୍ଶାଇ ମାମଲାକୁ ଖାରଜ କରି ଦେଇଥିଲେ।୪ ଦୋଷୀଙ୍କୁ ଏକସଂଗରେ ଶୁକ୍ରବାର ସକାଳ ୫ଟା ୩୦ରେ ଫାଶୀଖୁଣ୍ଟରେ ଝୁଲାଇବା ପାଇଁ ପୂର୍ବରୁ ଯେଉଁ ଡେଥ୍ ୱାରେଣ୍ଟ ଜାରି ହୋଇଥିଲା ତାହା ଯଥାରୀତି କାର୍ଯ୍ୟକାରୀ ହୋଇଛି ।
ସୂଚନାଯୋଗ୍ୟ, ପଟିଆଲା ହାଉସ କୋର୍ଟର ଅତିରିକ୍ତ ସେସନ୍ସ ଜଜ୍ ଧର୍ମେନ୍ଦ୍ର ରାଣା ୪ ନିର୍ଭୟା ଦୋଷୀଙ୍କ ବିରୋଧରେ ୩ ଥର ଡେଥ୍ ୱାରେଣ୍ଟ୍ ଜାରି କରଥିଲେ। ପ୍ରଥମେ ଜାନୁଆରି ୨୨ରେ ୪ ଦୋଷୀଙ୍କୁ ଫାଶୀ ମିଳିବ ବୋଲି କୋର୍ଟ ଡେଥ୍ ୱାରେଣ୍ଟ୍ ଜାରି କରିଥିଲେ। ତେବେ ପରବର୍ତ୍ତୀ ସମୟରେ ଏହି ଫାଶୀ ଦଣ୍ଡାଦେଶକୁ ସ୍ଥଗିତ ରଖାଯାଇଥିଲା। ଏହା ପରେ ଫେବ୍ରୁଆରି ୧କୁ ଫାଶୀ ତାରିଖ ଘୁଞ୍ଚିଥିଲା। ତେବେ କୋର୍ଟ ଜାନୁଆରି ୩୧ରେ ଶୁଣାଣି କରି ଫେବ୍ରୁଆରି ୧ ଫାଶୀ ତାରିଖ ଉପରେ ସ୍ଥଗିତାଦେଶ ଜାରି କରିଥିଲେ।
ପୁଣି ଥରେ ଫାଶୀ ଉପରେ ରହିତାଦେଶ ଜାରି କରାଯାଇ ମାର୍ଚ୍ଚ ୩ରେ ଏହି ୪ଜଣ ଦୋଷୀଙ୍କୁ ଫାଶୀ ମିଳିବ ବୋଲି କୋର୍ଟ ଡେଥ୍ ୱାରେଣ୍ଟ୍ ଜାରି କରିଥିଲେ। ଏହା ଉପରେ ବି ଶେଷ ମୁହୂର୍ତରେ ରହିତାଦେଶ ଲାଗିଥିଲା। ପରେ ମାର୍ଚ୍ଚ ୫ ତାରିଖରେ ତୃତୀୟ ଡେଥ୍ ୱାରେଣ୍ଟ୍ ଜାରି ହୋଇଥିଲା ଏବଂ ଏଥିରେ ମାର୍ଚ୍ଚ ୨୦ ତାରିଖ ସକାଳ ୫ଟା ୩୦ରେ ଦୋଷୀମାନଙ୍କୁ ଫାଶୀଖୁଣ୍ଟରେ ଝୁଲାଇବା ପାଇଁ ନିର୍ଦ୍ଦେଶ ଥିଲା।