ଦୁର୍ଘଟଣାଗ୍ରସ୍ତ ବାୟୁସେନା ବିମାନ ନିକଟରେ ପହଞ୍ଚିଲା ଉଦ୍ଧାରକାରୀ ଟିମ୍‌, ଓଡ଼ିଆ ପାଇଲଟଙ୍କ ସମେତ ସମସ୍ତ ଯାତ୍ରୀ ମୃତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାୟୁସେନାର ଦୁର୍ଘଟଣାଗ୍ରସ୍ତ ବିମାନ ଏଏନ୍‌-୩୨ନିକଟରେ ବାୟୁସେନାର ଏକ ଉଦ୍ଧାରକାରୀ ଟିମ୍‌ ଗୁରୁବାର ସକାଳେ ପହଞ୍ଚିଛି । ତେବେ ସେଠାରେ କୌଣସି ଜୀବିତ ବ୍ୟକ୍ତିଙ୍କର ସନ୍ଧାନ ମିଳି ନଥିବାରୁ ଏଏନ୍‌-୩୨ ରେ ଥିବା ସମସ୍ତ ଯାତ୍ରୀଙ୍କ ସମେତ ଓଡ଼ିଆ ପାଇଲଟ୍‌ ସୁନୀତ୍‌ ମହାନ୍ତିଙ୍କର ମୃତ୍ୟୁ ଘଟିଥିବା ନେଇ ବିଧିବଦ୍ଧ ଭାବେ ଘୋଷଣା କରିଛି ଆଇଏଏଫ୍ ।

ବିମାନ କର୍ମଚାରୀଙ୍କ ସମେତ ୧୩ ଜଣ ଏହି ବିମାନରେ ଥିଲେ । ସେମାନେ ହେଲେ ଜିଏମ୍‌ ଚାର୍ଲେସ, ଏଚ୍‌. ବିନୋଦ, ଆର୍‌ ଥାପା, ଏ ତନଓ୍ବର, ଏସ୍‌ ମହାନ୍ତି, ଏମ୍‌କେ ଗର୍ଗ, କେକେ ମିଶ୍ର, ଅନୁପ କୁମାର, ଶେରିନ୍‌, ଏସ୍‌ କେ ସିଂ, ପଙ୍କଜ, ପୁତାଲି ଓ ରାଜେଶ କୁମାର । ଆଇଏଏଫ୍‌ର ଏହି ଘୋଷଣା ପରେ ଓଡ଼ିଆ ପାଇଲଟ ସୁନୀତ୍‌ଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି । ସୁନୀତ୍‌ଙ୍କ ପୈତୃକ ଘର ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବ୍ଲକ ଆମ୍ବପୁଆ ପଞ୍ଚାୟତ ବଳିଆପଲ୍ଲୀ ଗ୍ରାମରେ । ତେବେ ସୁନୀତଙ୍କର ମୃତ୍ୟୁ ଖବର ମିଳିବା ପରେ ତାଙ୍କ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି ।

ସୂଚନାଯୋଗ୍ୟ, ଜୁନ୍‌ ୩ ତାରିଖରେ ଏଏନ୍‌-୩୨ ବିମାନଟି ନିଖୋଜ ହୋଇ ଯାଇଥିଲା । ମଙ୍ଗଳବାର ଏହାର ଧ୍ୱଂସାବଶେଷ ଠାବ କରାଯାଇଥିଲା । ସେବେଠାରୁ ବିମାନରେ ଥିବା ଯାତ୍ରୀମାନଙ୍କର ସୂଚନା ଲାଗି ବାୟୁସେନା ପକ୍ଷରୁ ସର୍ଚ୍ଚ ଅପରେଶନ କରାଯାଉଥିଲା । ଶେଷରେ ପାରିପାର୍ଶ୍ବିକ ସ୍ଥିତି ଓ ଅନ୍ୟାନ୍ୟ ଦିଗ ଉପରେ ତର୍ଜମା କରିବା ପରେ ବିମାନରେ ଥିବା ସମସ୍ତ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ଭାରତୀୟ ବାୟୁସେନା ଘୋଷଣା କରିଛି।

Leave a comment