ଅଖିମୁଠି ଅନୁକୂଳ କଲେ କୃଷି ମନ୍ତ୍ରୀ ଅରୁଣ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାମାରୀ କରୋନା ସଂକ୍ରମଣ ରୋକିବାକୁ ରାଜ୍ୟରେ ଲକ ଡାଉନ ଜାରିଥିବା ସତ୍ବେ କୃଷି କାର୍ଯ୍ୟକୁ ଏଥିରୁ ବାଦ ଦିଆଯାଇଛି । ଆଜି ପବିତ୍ର ଅକ୍ଷୟ ତୃତୀୟା ହୋଇଥିବାରୁ ଚାଷୀ ଆଖିମୁଠି ଅନୁକୂଳ କରିଛି । ଏହି ଅବସରରେ କୃଷି ମନ୍ତ୍ରୀ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଆଜି ନୟାଗଡ଼ ଦଳୀୟ କାର୍ଯ୍ୟାଳୟ ନିକଟସ୍ଥ ଜଣେ କୃଷକଙ୍କ ଜମିରେ ଅଖିମୁଠି ଅନୁକୂଳ କରିଛନ୍ତି । ପୂଜାପାଠ ପରେ ମନ୍ତ୍ରୀ ବିହନ ବୁଣିବା ସହ ହଳ ଲଙ୍ଗଳ ଧରି ଚାଷ କାର୍ଯ୍ୟ କରିଛନ୍ତି ।
ସୂଚନା ଅନୁଯାୟୀ, ବୈଶାଖ ମାସ ଶୁକ୍ଲ ପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ଭାବେ ପାଳନ କରାଯାଏ । ଏହିଦିନ କୃଷକମାନେ ସେମାନଙ୍କ ଜମିରେ ଅଖିମୂଠି ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରିଥାନ୍ତି । କରୋନା ମହାମାରୀ କାରଣରୁ ଏହାକୁ ସରକାରୀ ଭାବେ ପାଳନ ନକରି ଆଜି କୃଷି ମନ୍ତ୍ରୀ ବ୍ୟକ୍ତିଗତଭାବେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅଖିମୁଠି ଅନୁକୂଳ କରିଛନ୍ତି । ଅକ୍ଷୟ ତୃତୀୟା ହେଉଛି ଏକ କୃଷି ଭିତ୍ତ୍ଖଳ ପର୍ବ । ଚାଷୀପାଇଁ ଏହା ହେଉଛି ଏକ ଶୁଭର ଦିନ ଏହି ଦିନରେ ଓଡ଼ିଶାର ପୂରପଲ୍ଲୀର ଚାଷୀମାନେ ଚାଷ କାର୍ଯ୍ୟ ଆରମ୍ଭ କରିଥାନ୍ତି । ଅକ୍ଷୟ ତୃତୀୟା ଏପରି ଏକ ଦିବସ ଯେଉଁ ଦିବସରେ ବିନା ପାଞ୍ଜିରେ କାମ ଆରମ୍ଭ ହୁଏ । ଏହି ଦିବସରେ ଯେଉଁ କାର୍ଯ୍ୟ ଆରମ୍ଭ କରାଯାଏ, ଏହା ଅତ୍ୟନ୍ତ ଶୁଭ ହୋଇଥାଏ ବୋଲି କୃଷି ମନ୍ତ୍ରୀ ରାଜ୍ୟର କୃଷକଙ୍କ ଉଦ୍ଦେଶ୍ୟରେ କହିଛନ୍ତି । ଏବର୍ଷର ପାଣିପାଗ, ଚାଷ ଅନୁକୂଳ ପାଇଁ ଭଲ ରହିଛି । କରୋନା ମୁକାବିଲା କରିବା ପାଇଁ ରାଜ୍ୟ ସରକାର କରାଯାଇଥିବା ଲକ୍ଡାଉନ୍କୁ କୃଷି କାର୍ଯ୍ୟ ନିମନ୍ତେ କୋହଳ କରିଛନ୍ତି । କୃଷକମାନେ ବିନା ଦ୍ୱିଧାରେ ସାମାଜିକ ଦୂରତା ରକ୍ଷା କରି କୃଷି କାର୍ଯ୍ୟରେ ନିୟୋଜିତ ରହିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।