ପାରାଦୀପଠାରେ ନିର୍ମିତ ହେବ ବିମାନବନ୍ଦର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜଗତସିଂହପୁର ଜିଲ୍ଲାର ପାରାଦୀପଠାରେ ନିର୍ମିତ ହେବ ବିମାନବନ୍ଦର । ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ (ଏଏଆଇ), ପାରାଦୀପ ପୋର୍ଟ ଓ ଇଣ୍ଡିଆନ୍‌ ଅଏଲ କର୍ପୋରେଶନର ମିଳିତ ସହଯୋଗରେ ଏହି ବିମାନବନ୍ଦର ହେବାର ଯୋଜନା ରହିଛି । ଗତମାସରେ ଏନେଇ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି । ପାରାଦୀପ ପୋର୍ଟ ଟ୍ରଷ୍ଟ ଏହାକୁ ପରିଚାଳନା କରିବାକୁ ଥିବାବେଳେ ଏଏଆଇ ବିମାନବନ୍ଦରକୁ ବୈଷୟିକ ସହାୟତା ପ୍ରଦାନ କରିବ । ଏହି ବିମାନବନ୍ଦରରେ ୧୯ କିମ୍ବା ୨୯ ସିଟ୍‌ ବିଶିଷ୍ଟ ଏୟାରକ୍ରାଫ୍ଟ ଅବତରଣ କରିପାରିବ ବୋଲି ଏଏଆଇ ଅଧ୍ୟକ୍ଷ ଗୁରୁପ୍ରସାଦ ମହାପାତ୍ର କହିଛନ୍ତି ।

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଲିଙ୍କ୍‌ ବିଲ୍ଡିଙ୍ଗ, ପାରାଲାଲ ଟ୍ୟାକ୍ସି ଓ ଅତିରିକ୍ତ ପାର୍କିଂ ବେ’ର ନିର୍ମାଣ କାର୍ଯ୍ୟ ନିମନ୍ତେ ଶନିବାର ଶିଳାନ୍ୟାସ ହୋଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ଏଏଆଇ ଅଧ୍ୟକ୍ଷ ଗୁରୁପ୍ରସାଦ ମହାପାତ୍ର, ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତାଙ୍କ ଉପସ୍ଥିତରେ ଏହି ଶିଳାନ୍ୟାସ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଏଏଆଇ ଅଧ୍ୟକ୍ଷ ମହାପାତ୍ର ଯୋଗଦେଇ ପାରାଦୀପଠାରେ ବିମାନବନ୍ଦର ନିର୍ମାଣ ହେବା ସମ୍ପର୍କରେ ସୂଚନା ଦେଇଥିଲେ । ସେହିପରି ଭୁବନେଶ୍ୱର ବିମାନବନ୍ଦରରେ ଦୁଇଟି ଟର୍ମିନାଲ ରହିଛି । ଖୁବ୍‌ଶୀଘ୍ର ଆଉ ଏକ ଟର୍ମିନାଲ(ଟର୍ମିନାଲ-୩) ବିଲ୍ଡିଂ ଆରମ୍ଭ ହେବ । ଏଥିପାଇଁ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ କନ୍‌ସଲଟାଣ୍ଟ ନିଯୁକ୍ତ ହୋଇସାରିଲେଣି । ୯୦୦କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଏହି ଟର୍ମିନାଲର ଆସନ୍ତା ସେପ୍ଟେମ୍ବରରୁ କାମ ଆରମ୍ଭ ହେବ ବୋଲି ମହାପାତ୍ର କହିଛନ୍ତି ।

Leave a comment