ଏମସକୁ ସମ୍ମାନଜନକ ସ୍ୱାସ୍ଥ୍ୟ ଉତ୍କର୍ଷ ପୁରସ୍କାର

ଭୁବନେଶ୍ୱର : ଉନ୍ନତ ନିରାପଦ ରୋଗୀ ସେବା ପାଇଁ ଏମ୍ସ ଭୁବନେଶ୍ୱରକୁ ସମ୍ମାନଜନକ ସ୍ୱାସ୍ଥ୍ୟ ଉତ୍କର୍ଷ ପୁରସ୍କାର ପ୍ରଦାନ କରାଯାଇଛି । କେରଳର କୋଚିରେ ଅନୁଷ୍ଠିତ ସ୍ୱୀକୃତିପ୍ରାପ୍ତ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନସମୂହଙ୍କ ମଧ୍ୟରେ ସଚେତନତା ସମ୍ମତି ଓ ଉତ୍କର୍ଷ(ସିଏଏଚ୍ଓ-ଏସ୍)ର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏମ୍ସ ଭୁବନେଶ୍ୱରର କେନ୍ଦ୍ରୀୟ ଷ୍ଟେରାଇଲ୍ ସେବା ବିଭାଗ(ସିଏସଏସଡି)କୁ ସରକାରୀ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ ବର୍ଗରେ ଜାତୀୟସ୍ତରରେ ୨ୟ ପୁରସ୍କାର ମିଳିଛି । ନିଜସ୍ୱ ଜ୍ଞାନକୌଶଳରେ ନିର୍ମିତ ଏମ୍ସର ଅତ୍ୟାଧୁନିକ ସେଣ୍ଟ୍ରାଲ୍ ଷ୍ଟେରାଇଲ୍ ସେବା ବିଭାଗକୁ ମିଳିଥିବା ଏହି ପ୍ରତିଷ୍ଠିତ ପୁରସ୍କାରକୁ ଅଧୀକ୍ଷକ ଡ. ସଚ୍ଚିଦାନନ୍ଦ ମହାନ୍ତି ଏବଂ ସିଏସଏସଡି ବିଭାଗ ମୁଖ୍ୟ ଡ. ଅଶୋକ କୁମାର ଜେନା କୋଚିରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗ୍ରହଣ କରିଥିଲେ ।
ଏହା ଏମ୍ସ ଭୁବନେଶ୍ୱର ପାଇଁ ଏକ ଅତ୍ୟନ୍ତ ଆନନ୍ଦର ବିଷୟ ବୋଲି ନିର୍ଦ୍ଦେଶକ ପ୍ରଫେସର ମୁକେଶ ତ୍ରିପାଠୀ ପ୍ରକାଶ କରିଛନ୍ତି । ଏମ୍ସ ସର୍ବଦା ରୋଗୀସେବା କ୍ଷେତ୍ରରେ ନିରାପତ୍ତାକୁ ପ୍ରାଥମିକତା ଦେଇଆସିଛି ବୋଲି ଶ୍ରୀ ତ୍ରିପାଠୀ ମତବ୍ୟକ୍ତ କରିଛନ୍ତି। ଏହି ଉତ୍କର୍ଷ ପୁରସ୍କାର ରୋଗୀର ନିରାପତ୍ତାକୁ ସୁନିଶ୍ଚିତ କରିବା ସହିତ ପୁନଃବ୍ୟବହାର ଯୋଗ୍ୟ ବସ୍ତୁଗୁଡ଼ିକର ପୁନଃପ୍ରକ୍ରିୟାକରଣରେ ଉନ୍ନତ ପ୍ରକ୍ରିୟା ଅନୁପାଳନକୁ ଗଭୀରତାର ସହିତ ଅନୁଧ୍ୟାନ କରିଥାଏ। ରୋଗୀସେବା କ୍ଷେତ୍ରରେ ଉନ୍ନତ ନିରାପତ୍ତା ପ୍ରକ୍ରିୟା ଅବଲମ୍ବନ କରୁଥିବା ଦେଶର ମାତ୍ର ଦୁଇଟି ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନକୁ ଏହି ପୁରସ୍କାର ବର୍ଷକୁ ଥରେ ପ୍ରଦାନ କରାଯାଇଥାଏ ।