୬ଷ୍ଠ କୃଷି କ୍ୟାବିନେଟ୍ ବୈଠକ : ଚାଷୀଙ୍କୁ ମିଳିବ ପର୍ଯ୍ୟାପ୍ତ ୟୁରିଆ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟର ଚାଷୀଙ୍କୁ ପର୍ଯ୍ୟାପ୍ତ ପରିମାଣର ୟୁରିଆ ଯୋଗାଇ ଦେବାକୁ ବସିଥିବା ୬ଷ୍ଠ କୃଷି କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଛି। ବୈଠକର ନିଷ୍ପତ୍ତି ସଂକ୍ରାନ୍ତରେ କୃଷି ସଚିବ ସୌରଭ ଗର୍ଗ ସୂଚନା ଦେଇ କହିଛନ୍ତି, ଖରିଫ୍ ପ୍ରସ୍ତୁତି ସମ୍ପର୍କରେ ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଛି। ଖରିଫ-୨୦୨୦ କାର୍ଯ୍ୟକ୍ରମରେ ୬୧.୬୧ ଲକ୍ଷ ହେକ୍ଟର ଜମିରେ ଖରିଫ୍ ଚାଷ କରିବା ପାଇଁ ସ୍ଥିରୀକୃତ ହୋଇଥିବାବେଳେ ଅଦ୍ୟାବଧି ୫୫.୫୨ ଲକ୍ଷ ହେକ୍ଟର ଜମିରେ ଖରିଫ୍ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ଇ-ପେଷ୍ଟ ସର୍ବେକ୍ଷଣ ଦ୍ୱାରା ଫସଲ ଓ କୀଟରୋଗର ଅନୁଧ୍ୟାନ ପଞ୍ଚାୟତସ୍ତର ପର୍ଯ୍ୟନ୍ତ ତଦାରଖ କରାଯାଉଛି। ଫସଲ ଏବଂ କୀଟରୋଗ ପରିଚାଳନା ସମ୍ବନ୍ଧୀୟ ଆବଶ୍ୟକୀୟ ପରାମର୍ଶ ଓୟୁଏଟି ନେତୃତ୍ୱରେ ବୈଷୟିକ ଟିମ୍ ଦ୍ୱାରା ସାପ୍ତାହିକ ବ୍ୟବଧାନରେ ‘ଆମ କୃଷି ହେଲ୍ପଲାଇନ ନଂ-୧୫୫୩୩୩’ ଜରିଆରେ ଚାଷୀଙ୍କୁ ଯୋଗାଇ ଦିଆଯାଉଛି। ୟୁରିଆ ଏବଂ ଅନ୍ୟାନ୍ୟ ସାର ଯୋଗାଇ ଦିଆଯିବା ଦିଗରେ କେନ୍ଦ୍ରର ସହାୟତା ନେବା ସହିତ ସାର ଯୋଗାଣର ତଦାରଖ ଓ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ୨୧ ଲକ୍ଷ କୃଷକଙ୍କୁ ବିଭିନ୍ନ ଆର୍ôଥକ ଅନୁଷ୍ଠାନ ମାଧ୍ୟମରେ ୯,୯୬୪.୪୭ କୋଟି ଟଙ୍କାର ଫସଲ ଋଣ ପ୍ରଦାନ କରାଯାଇଛି। ଏଥିସହିତ ୧୪.୦୮ କୃଷକଙ୍କୁ ଫସଲ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି।
କୃଷକଙ୍କୁ ଅଧିକତର ସହାୟତା ଯୋଗାଇ ଦେବା ଉଦ୍ଦେଶ୍ୟରେ ଅଭିନବ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଚାଷୀଙ୍କଠାରୁ ଅଣ ଧାନ ଫସଲ ଯଥା- ଡାଲି, ତୈଳବୀଜ, ମାଣ୍ଡିଆ, କପା ଓ ଝୋଟ ସର୍ବନିମ୍ନ ସହାୟକ ମୂଲ୍ୟରେ ସଂଗ୍ରହ କରାଯାଉଛି। କୋଭିଡ୍-୧୯ସ୍ଥିତିରେ କୃଷକଙ୍କୁ ସହାୟତା ଦେବା ଦିଗରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ସ୍ୱତନ୍ତ୍ର ପ୍ୟାକେଜ୍ ସମ୍ପର୍କରେ ଏହି ବୈଠକରେ ଆଲୋଚନା ହୋଇଥିଲା। ଜୀବିକା ନିର୍ବାହ ଦିଗରେ ନିଆଯାଇଥିବା ପଦକ୍ଷେପ ସ୍ୱରୂପ କୃଷି ଓ କୃଷକ ସଶକ୍ତୀକରଣ ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗରେ ୩୩୭.୯୫୮ କୋଟି ଟଙ୍କା ବ୍ୟୟ କରାଯିବ; ଯେଉଁଥିରେ ୨୪,୯୯,୮୫୦ ଜଣ କୃଷକ ଉପକୃତ ହେବେ। ଅଦ୍ୟାବଧି ଏହି ଯୋଜନାରେ ମୋଟ୍ ୮,୧୫,୭୯୩ କୃଷକ ଉପକୃତ ହୋଇଛନ୍ତି। ସେହିପରି କାଳିଆ ଯୋଜନାରେ ହିତାଧିକାରୀଙ୍କ ବିସ୍ତୃତ ଯାଞ୍ଚ ୨୦୧୯ ଅଗଷ୍ଟରୁ ଆରମ୍ଭ ହୋଇଛି। ଯେପରି ଜଣେ ହେଲେ ହିତାଧିକାରୀ କାଳିଆ ସହାୟତାରୁ ବଞ୍ଚିତ ନହୁଅନ୍ତୁ ତାହାକୁ ଗୁରୁତ୍ୱ ଦିଆଯାଉଛି। ବର୍ତ୍ତମାନ ସୁଦ୍ଧା ୫୫,୨୯,୮୬୦ ଜଣ ହିତାଧିକାରୀ କାଳିଆ ସହାୟତା ନିମନ୍ତେ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେହିପରି ବଳରାମ ଯୋଜନା ନାବାର୍ଡ ସହଯୋଗରେ ପ୍ରଣୟନ ହୋଇଛି। ଯୋଜନାରେ ଭାଗଚାଷୀଙ୍କୁ କୃଷି ଋଣ ଯୋଗାଇ ଦେବା ମୂଳ ଲକ୍ଷ୍ୟ ରହିଛି। ଆଗାମୀ ୩ ବର୍ଷ ମଧ୍ୟରେ ଏହି ଯୋଜନାରେ ‘ଆତ୍ମା’ ମାଧ୍ୟମରେ ୧ ଲକ୍ଷ ଯୁଗ୍ମ ଦେୟ ଗୋଷ୍ଠୀ ଗଠନ ନିମନ୍ତେ ଲକ୍ଷ୍ୟ ରଖାଯାଇଛି, ଯେଉଁଥିରୁ ଅନ୍ତତଃ ପକ୍ଷେ ୫ ଲକ୍ଷ ଭାଗଚାଷୀଙ୍କୁ ସାମିଲ କରାଯିବ। ଏହାସହ କଠିନ ପରିସ୍ଥିତିରେ ଜଳର ଅଭାବ ମେଣ୍ଟାଇବା ସହିତ ଖରିଫ୍ ଋତୁରେ ଜଳସେଚନ କରିବା ଲକ୍ଷ୍ୟରେ କ୍ଷେତ ପୋଖରୀ ଯୋଜନାର ଅବଧାରଣା କରାଯାଇଛି। ଏଥିସହିତ ସମନ୍ୱିତ କୃଷି କ୍ଷେତ୍ର ବ୍ୟବସ୍ଥାକୁ ଲୋକପ୍ରିୟ କରାଯିବାର ଲକ୍ଷ୍ୟ ରଖାଯାଇ ୫ ବର୍ଷ ମଧ୍ୟରେ ୫ ଲକ୍ଷ କ୍ଷେତ ପୋଖରୀ ଖନନ ପାଇଁ ଲକ୍ଷ୍ୟ ରହିଛି।

Leave a comment