ଚାଷୀମାନଙ୍କୁ ଉନ୍ନତ ମାନର ବିହନ ସୁବିଧାରେ  ଯୋଗାଇଦେବା ନିମନ୍ତେ ମନ୍ତ୍ରୀଙ୍କ ନିର୍ଦ୍ଦେଶ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):  ଚଳିତ ଖରିଫ୍‌ରେ ଚାଷୀମାନଙ୍କୁ ସୁବିଧାରେ ଅଧିକ ଉତ୍ପାଦନକ୍ଷମ ଓ ଉନ୍ନତ ମାନର ବିହନ  ଯୋଗାଇଦେବା ନିମନ୍ତେ କୃଷି ଓ କୃଷକ ସଶକ୍ତିକର, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟରେ ଚାଷ କାର୍ଯ୍ୟକୁ ଦ୍ରୁତ ଗତିରେ ଆଗେଇ ନେବା ପାଇଁ  ଆବଶ୍ୟକ ବିହନ ଯୋଗାଣ ଦିଗରେ ଅଧିକ ତତ୍ପରତା ପ୍ରକାଶ କରିବା ଦିଗରେ ମନ୍ତ୍ରୀ ସାହୁ ଗୁରୁତ୍ୱାରୋପ କରିଛନ୍ତି ।

ସୂଚନାଯୋଗ୍ୟ, ଆଜି ପୂର୍ବାହ୍ନରେ ମନ୍ତ୍ରୀ ଅରୁଣ ସାହୁ ଓଡ଼ିଶା ରାଜ୍ୟ ବିହନ ନିଗମ ପରିଚାଳିତ ସାମନ୍ତପୁରସ୍ଥିତ ବିହନ ପ୍ରକ୍ରିୟାକରଣ କେନ୍ଦ୍ର ବୁଲି ଦେଖିବା ସହିତ ରାଜ୍ୟ ବିହନ ପରୀକ୍ଷାଗାର, ଜିନ୍‌ ବ୍ୟାଙ୍କ୍‌ ଏବଂ ଚନ୍ଦକାସ୍ଥିତ ବିହନ ପ୍ରକ୍ରିୟାକରଣ କେନ୍ଦ୍ରଗୁଡ଼ିକ ପରିଦର୍ଶନ କରିଥିଲେ। ସାମନ୍ତପୁରର ବିହନ ପ୍ରକ୍ରିୟାକରଣ କେନ୍ଦ୍ରରେ ମନ୍ତ୍ରୀ ଡ. ସାହୁ ବିହନର ପ୍ରକ୍ରିୟାକର, ନମୁନା ସଂଗ୍ରହ ଏବଂ ପ୍ୟାକିଂ ଆଦି ହେଉଥିବା କାର୍ଯ୍ୟକୁ ଅନୁଧ୍ୟାନ କରିଥିଲେ । ବିହନ ପରୀକ୍ଷାଗାରରେ ବିହନର ଗୁଣାତ୍ମକ ମାନ କିପରି ପରୀକ୍ଷା କରାଯାଇଛି ସେ ସଂପର୍କରେ ପଚାରି ବୁଝିଥିଲେ।  ଏଥି ସହିତ ସେଠାରେ ଥିବା ବିହନର ଏକ ଜିନ୍‌ବ୍ୟାଙ୍କ ମଧ୍ୟ ବୁଲି ଦେଖିଥିଲେ । ଏହି ଜିନ୍‌ ବ୍ୟାଙ୍କରେ ପ୍ରାୟ ୧୨୦୦ରୁ ୧୩୦୦ ପ୍ରକାରର ବିହନ ସାଇତି ରଖାଯାଇଥିବା ମନ୍ତ୍ରୀ ଦେଖିଥିଲେ ।

ଏହାପରେ ମନ୍ତ୍ରୀ ଓଡ଼ିଶା ରାଜ୍ୟ ବିହନ ନିଗମର ଚନ୍ଦକାସ୍ଥିତ ବିହନ ପ୍ରକ୍ରିୟାକରଣ ପ୍ଲାଣ୍ଟ ମଧ୍ୟ ପରିଦର୍ଶନ କରିଥିଲେ । ସେଠାରେ ବିହନର ପ୍ରକ୍ରିୟାକର, ନମୁନା ସଂଗ୍ରହ ଏବଂ ଗୋଦାମରେ ବିହନ କିପରି ସୁରକ୍ଷିତ ଭାବେ ରଖାଯାଉଛି ସେ ସବୁକୁ ବୁଲି ଦେଖିଥିଲେ । ଓଡ଼ିଶା ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଜ୍ୟୋତି ପ୍ରକାଶ ମିଶ୍ର ଏବଂ ଉପସ୍ଥିତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନଙ୍କ ସହିତ ଆଲୋଚନା କରିବା ଅବସରରେ ରାଜ୍ୟରେ କୋଭିଡ୍‌-୧୯ ପରିସ୍ଥିତିରେ ଚାଷୀମାନଙ୍କୁ ବିହନ ଯୋଗାଇଦେବା ଦିଗରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ପଚାରି ବୁଝିଥିଲେ ।  ଯେପରି ଠିକଣା ସମୟରେ ଉନ୍ନତ ମାନର ବିହନ ଚାଷୀମାନେ  ପାଇପାରିବେ ସେଥି ନିମନ୍ତେ ସମସ୍ତ ପ୍ରକାରର ପ୍ରସ୍ତୁତି କରିବା ନିମନ୍ତେ ମନ୍ତ୍ରୀ ଅରୁଣ ସାହୁ ନିର୍ଦ୍ଦେଶ ଦେଇଥିଲେ।

Leave a comment