କମିଶନରେଟ ପୋଲିସ ଟାର୍ଗେଟରେ ଅପରାଧୀ, ପୁଣି ଡବଲ ଏନକାଉଣ୍ଟର, ଦୁଇଦିନରେ ୪ ଅପରାଧୀ ଆହତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କିଛିଦିନ ହେବ ରାଜଧାନୀରେ ମାତିଥିଲେ ଅପରାଧୀ । ହଜାଇଥିଲେ ପୋଲିସର ନିଦ । ଗୋଟିଏ ଦିନରେ ଘଟାଇଥିଲେ ଚାରି ଚାରିଟି ବଡ ଧରଣର ଲୂଟ । ଲୂଟର ଶିକାର ହୋଇଥିବା ବ୍ୟକ୍ତି ହୋଇଥିଲେ ଲହୁଲୁହାଣ । ଯାହାକି କମିଶନରେଟ ପୁଲିସ ପାଇଁ ଏକ ଚ୍ୟାଲେଞ୍ଜରେ ପରିଣତ ହୋଇଥିଲା । ଶେଷରେ ଅପରାଧୀଙ୍କୁ ଟାର୍ଗେଟ କରି ଏନକାଉଣ୍ଟର କରିବାରେ ସଫଳ ହୋଇଛି ପୋଲିସ । ଗତକାଲି ପାହାନ୍ତାରେ କମିଶନରେଟ ପୁଲିସ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର କରିଥିବାବେଳେ ଶନିବାର ରାତିରେ ଏନକାଉଣ୍ଟରରେ ଅନ୍ୟ ଦୁଇଜଣ ଅପରାଧୀ ଗୁରୁତର ହୋଇଛନ୍ତି । ସେଦୁଇ ଅପରାଧୀ ହେଲେ ନିଆଳିର ହରେକୃଷ୍ଣ ସ୍ୱାଇଁ ଓ ଆଠଗଡ଼ ଅଞ୍ଚଳର ସିପୁନ କବି ଓରଫ ସିଲୁ । ପୁଲିସ ସେମାନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ଖେଳନା ବନ୍ଧୁକ, ଗୁଳି, ବାଇକ ଓ ୫୦ ହଜାର ଟଙ୍କା ଜବତ କରିଛି । ଏମାନେ ପୋଡା ଗ୍ୟାଙ୍ଗର ସଦସ୍ୟ ବୋଲି ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ଶନିବାର ରାତିିରେ ଏକ ଅପରାଧୀ ଗ୍ୟାଙ୍ଗ ଧଉଳି ନିକଟରେ ଥିବା ବାପୁଜୀ ହାଇଟ୍ସ ଆପାର୍ଟମେଂଟରେ ଥିବା ପୁଲିସକୁ ସୂଚନା ମିଳିଥିଲା । ଧଉଳି ଥାନା ପୁଲିସ ସେଠାରେ ଚଢଉ କରିଥିଲା । ହେଲେ ଅପରାଧୀମାନେ ସେଠାରେ ଖସି ବାଇକ ଯୋଗେ ଖସି ପଳାଇଥିଲେ । ସେମାନେ ଟଙ୍କାପାଣିରୋଡ ଦେଇ ବଡ଼ଗଡ଼ ଆଡକୁ ଆସୁଥିବା ସ୍ପେଶାଲ ସ୍କ୍ୱାଡ ସେମାନଙ୍କୁ ପିଛା କରିଥିଲା । ପୁଲିସ ସେମାନଙ୍କୁ ପିଛା କରିବାରୁ ଚିଲ୍ଲିପୋଖରୀ ନିକଟରେ ଦୁଇ ଅପରାଧିଙ୍କ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପରେ ଧରାପଡ଼ିବା ଭୟରେ ସେମାନେ ପୁଲିସ ଉପରକୁ ଗୁଳି ମାଡ କରିଥିଲେ । ଅପରାଧୀଙ୍କ ଗୁଳିମାଡରେ ଅଳ୍ପକେ ସ୍ପେଶାଲ ସ୍କ୍ୱାଡ ଏସିପି ସଂଜୀବ ଶତପଥି ବର୍ତି ଯାଇଥିଲେ । ପରେ ପୁଲିସ ପାଲଟା ଗୁଳିମାଡ କରିଥିଲା । ଉଭୟଙ୍କ ମଧ୍ୟରେ ବେଶ କିଛି ସମୟ ଛକାପଞ୍ଝା ଲାଗି ରହିବା ପରେ ପୁଲିସ ଗୁଳିରେ ଦୁଇ ଅପରାଧୀ ଘାଇଲା ହୋଇଥିଲେ । ଯାଞ୍ଚ ବେଳେ ସେମାନଙ୍କ ଠାରୁ ପୁଲିସ ବନ୍ଧୁକ-ଗୁଳି ଓ ଟଙ୍କା ଆଦି ଜବତ କରାଯାଇଛି । ଏମାନେ ଶୁକ୍ରବାର ଏନକାଉଣ୍ଟର ଶୀକାର ହୋଇଥିବା ପୋଡା ଗ୍ୟାଙ୍ଗର ସଦସ୍ୟ ବୋଲି ଜଣାପଡିଛି ।
ସେହିପରି ଦୁଇ ଦିନରେ କମିଶନରେଟ ପୁଲିସର ଦୁଇଟି ଡବଲ ଏନକାଉଣ୍ଟର ଅପରାଧିଙ୍କ ପାଇଁ ଏକ କଡା ଚେତାବନୀ ପାଲଟିଛି ।