କର୍ଣ୍ଣାଟକର ପଞ୍ଚାୟତ ନିର୍ବାଚନ ଜିତି ଶୋଭାଯାତ୍ରାରେ ଯାଉଥିବା ସସମୟରେ କଂଗ୍ରେସ କର୍ମୀଙ୍କ ଉପରକୁ ଏସିଡ ମାଡ଼, ୧୦ ଜଣ ଗୁରୁତର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କର୍ଣ୍ଣାଟକରେ ପଞ୍ଚାୟତ ନିର୍ବାଚନରେ ବିଜେପି କୁ ପଛରେ ପକାଇ ବିଜୟ ହାସଲ କରିଛି କଂଗ୍ରେସ । ଗତ ୩୧ ଅଗଷ୍ଟରେ ପଞ୍ଚାୟତ ନିର୍ବାଚନ ପାଇଁ କର୍ଣ୍ଣାଟକରେ ଭୋଟ ହୋଇଥିଲା । ମୋଟ ୨୭୦୯ଟି ୱାର୍ଡରେ ଭୋଟ ଗ୍ରହଣ ହୋଇଥିଲା । ଆଜିର ଭୋଟ ଗଣତିକୁ ସମସ୍ତେ ଅପେକ୍ଷା କରିଥିବା ବେଳେ କଂଗ୍ରେସ ପାଇଁ ଏହା ଏକ ଭଲ ଖବର ଭାବରେ ସାମ୍ନାକୁ ଆସିଥିଲା ।
ଏହି ଭୋଟ ଗଣତି ପରେ କଂଗ୍ରେସ ପ୍ରଥମ ସ୍ଥାନରେ ଥିବାବେଳେ ବିଜେପି ଦ୍ୱିତୀୟ ଓ ଜେଡିଏସ ତୃତୀୟ ସ୍ଥାନରେ ରହିଛି । ନିଜର ବିଜୟ ପରେ କଂଗ୍ରେସ କର୍ମୀମାନେ ଖୁସିରେ ମିଠା,ବାଜା ଓ ବାଣ ସହ ଖୁସି ମାନଉଥିବା ସମୟରେ କର୍ଣ୍ଣାଟକର ତୁମକୁର ଅଞ୍ଚଳରେ କଂଗ୍ରେସ ରାଲି ଉପରକୁ ଏସିଡ ରେ ଆକ୍ରମଣ ହୋଇଛି । ଏହି ଏସିଡ ଆକ୍ରମଣରେ ୧୦ ଜଣ କଂଗ୍ରେସ କର୍ମୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତର ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅସମ୍ୱନ୍ଧରେ ତୁମକୁର ଏସପିଙ୍କ ସୂଚନା ଦେଇ କହିଛନ୍ତି କିଏ ଓ କାହିଁକି ଏହି ଏସିଡ ମାଡ଼ କରିଥିଲା ତାହା ସ୍ପଷ୍ଟ ହୋଇନାହିଁ । ତଦନ୍ତ ଚାଲିଛି ।
ଡାକ୍ତରଙ୍କ କହିବା ମୁତାବକ, ଶୋଭାଯାତ୍ରାରେ ଯେଉଁ ଏସିଡରେ ଆକ୍ରମଣ କରାଯାଇଥିଲା ତାହା ବାଥରୁମ ସଫା ହେବା ପାଇଁ ବ୍ୟବହୃତ ହେଉଥିବା ଏକପ୍ରକାର ଏସିଡ । ତେବେ ଏସିଡ ମାଡ଼ରେ ଆହତ ହୋଇଥିବା ୧୦ ଜଣ ବ୍ୟକ୍ତି ଏବେ ବିପଦମୁକ୍ତ ଥିବା ସେ କହିଛନ୍ତି । ତେବେ ଏନେଇ ଥାନାରେ କେସ ରଜ୍ଜୁ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କେହି ଗିରଫ ହୋଇନାହାନ୍ତି ।