ଗହମ ପରେ ଅଟା ରପ୍ତାନୀ ଉପରେ କଟକଣା ଲାଗୁ କଲା କେନ୍ଦ୍ର

0

ଗହମ ପରେ ଏବେ ଅଟା ଓ ଅନ୍ୟ ସାମଗ୍ରୀର ରପ୍ତାନୀ ଉପରେ କଟକଣା ଜାରି କରିଛନ୍ତି କେନ୍ଦ୍ର ସରକାର । ଅଟା,ମଇଦା ଓ ସୁଜି ପରି ଖାଦ୍ୟ ସାମଗ୍ରୀ ରପ୍ତାନୀ ଉପରେ କେନ୍ଦ୍ର ସରକାର କଟକଣା ଜାରି କରିଛନ୍ତି ।

ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ (DGFT) ଏନେଇ ଏକ ବିଜ୍ଞପ୍ତି ଜାରି କରିଛି । ବିଜ୍ଞପ୍ତି ଅନୁସାରେ ଜୁଲାଇ ୧୨ ତାରିଖରୁ ଏହି କଟକଣା କାର୍ଯ୍ୟକାରୀ ହେବା ନେଇ ଘୋଷଣା କରାଯାଇଛି । ଏହାକୁ ସମସ୍ତ ରପ୍ତାନୀକାରୀ ସଂସ୍ଥା ଅନୁପାଳନ କରିବାକୁ ବାଧ୍ୟ । କୌଣସି ରପ୍ତାନୀକାରୀ ସଂସ୍ଥା ଅନ୍ତଃମନ୍ତ୍ରୀସ୍ତରୀୟ କମିଟିର ଅନୁମୋଦନ ବିନା ରପ୍ତାନୀ ପ୍ରକ୍ରିୟା ଆରମ୍ଭ କରିପାରିବ ନାହିଁ । ଗ୍ଲୋବାଲ ସପ୍ଲାଇ ଡିଷ୍ଟ୍ରିବୁଟରମାନଙ୍କ ନୀତି ଯୋଗୁ ଏହି ସବୁ ସାମଗ୍ରୀରେ ଦରଦାମ ମଧ୍ୟ ବଢିଛି । ତେଣୁ ଏହାର ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ଏହି ସାମିୟିକ ରପ୍ତାନୀ କଟକଣା ଜାରି କରାଯାଇଥିବା DGFT କହିଛି ।

ତେବେ ଏହି ନୂଆ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ଅଟାର ରପ୍ତାନୀ ନେଇ ଯେଉଁ ସବୁ କନସାଇମେଣ୍ଟ ସ୍ବାକ୍ଷରିତ କରାଯାଇଛି, ତାହା ରପ୍ତାନୀ କରାଯାଇ ପାରିବ । ଯେଉଁ ସବୁ ବନ୍ଦରରେ ପୂର୍ବ କନସାଇନମେଣ୍ଟ ଅନୁସାରେ ଜାହାଜରେ ଗହମ ବୋଝେଇ ପ୍ରକ୍ରିୟା ମଧ୍ୟ ଜାରି ରହିଛି, ତାହା ମଧ୍ୟ ବିନା ଦ୍ବନ୍ଦରେ ରପ୍ତାନୀ କରାଯାଇ ପାରିବ । କିନ୍ତୁ କଟକଣା ନେଇ ବିଜ୍ଞପ୍ତି ପ୍ରକାଶ ପରେ କୌଣସି ନୂଆ କନସାଇନମେଣ୍ଟ ସ୍ବାକ୍ଷରିତ କରିପାରିବେ ନାହିଁ ରପ୍ତାନୀକାରୀ ସଂସ୍ଥା ।

Leave a comment