EOW ପରେ ଆରବିଆଇ ସାମ୍ନାରେ ପହଞ୍ଚିଲା ଇଡି, ଧାଡ଼ିରେ ଥିବା ଲୋକଙ୍କୁ କରୁଛି ପଚରାଉଚରା

0

EOW ପରେ ଆରବିଆଇ ସାମ୍ନାରେ ପହଞ୍ଚିଲା ଇଡି । ୨ ହଜାର ଟଙ୍କା ବଦଳାଇବାକୁ ଧାଡ଼ିରେ ଥିବା ଲୋକଙ୍କୁ ପଚରାଉଚରା କରିବା ସହ କରୁଛନ୍ତି ତନାଘନା । ଟଙ୍କା ବଦଳାଇବା ଲାଗି ଆରବିଆଇ ସାମ୍ନାରେ ଲୋକଙ୍କ ଭିଡ଼ ଏବେ ବି ଜମିଛି । ପୂର୍ବରୁ ଆରବିଆଇରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାର ଟିମ ପହଞ୍ଚିଥିଲେ ।

ଟଙ୍କା ବଦଳାଇବା ପାଇଁ ଧାଡିରେ ଠିଆ ହୋଇଥିବା ଲୋକଙ୍କୁ ଇଓଡବ୍ଲ୍ୟୁ ଟିମ ପଚରାଉଚରା କରୁଛନ୍ତି । ଲମ୍ବା ଧାଡିରେ ଠିଆ ହୋଇଥିବା ଲୋକଙ୍କ ଆଧାର କାର୍ଡ ଯାଞ୍ଚ କରିବା ସହ ଫଟୋ ଉଠାଇଛନ୍ତି ଇଓଡବ୍ଲ୍ୟ ଅଧିକାରୀ ।

୨ ହଜାର ଟଙ୍କିଆ ନୋଟ୍ ବଦଳାଇବା ପାଇଁ ତିନି ଦିନ ହେବ ଆଇବିଆଇ ଭୁବନେଶ୍ୱର ଶାଖାରେ ଲୋକଙ୍କ ଭିଡ ଜମୁଛି । ଆଜି ସକାଳୁ ବି ଲମ୍ବା ଲାଇନ୍ ଲାଗିଥିବା ଦେଖିବାକୁ ମିଳିଛି । ସେମାନଙ୍କ ମଧ୍ୟରେ ଅଧିକାଂଶ ଦିନ ମଜୁରିଆ ଥିବା ସୂଚନା ମିଳିଛି । ଗତକାଲି ୨୦ ହଜାର ଟଙ୍କା ବଦଳାଇଲେ ୨ ଶହରୁ ୩ଶହ ଟଙ୍କା କମିଶନ ପାଇବା ନେଇ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଥିଲେ ନୋଟ ବଦଳାଇବାକୁ ଆସିଥିବା କିଛି ଲୋକ । ଆଜି ମଧ୍ୟ ସମାନ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

ତେବେ ଏତେ ପରିମାଣରେ ୨ ହଜାର ଟଙ୍କିଆ ନୋଟ୍ କେଉଁଠୁ ଆସିଲା ତାକୁ ନେଇ ବଢିଛି ସନ୍ଦେହ । ଟଙ୍କା ବଦଳ କରିବାକୁ ଏମାନଙ୍କୁ ପଠାଉଛି କିଏ? ସନ୍ଦେହ ହେଉଛି ପୋଲିସ ନଜରରୁ ବଞ୍ଚିବା ପାଇଁ କଳା ଟଙ୍କାକୁ ଧଳା କରିବା ଉଦ୍ଦେଶ୍ୟରେ କିଛି ଦଲାଲଙ୍କୁ ନିୟୋଜିତ କରିଛନ୍ତି ଧନୀ ଶ୍ରେଣୀର ଲୋକ । ବ୍ୟାଙ୍କରେ ଟଙ୍କା ବଦଳ କଲେ କାଳେ ଧରାପଡିଯିବେ, ସେହି ଭୟରେ ସମୟ ସରିଯିବା ପରେ ସିଧା ଆରବିଆଇ ଶାଖାରେ ଲୋକଙ୍କୁ ଲଗାଇ ନିଜ କଳା ଟଙ୍କାକୁ ଧଳା କରିବାରେ ଲାଗିପଡିଛନ୍ତି।

Leave a comment