ମୁମ୍ବାଇ ପରେ ଦିଲ୍ଲୀ ଶିଳ୍ପପତିଙ୍କୁ ଆକୃଷ୍ଟ କରିବାକୁ ନବୀନଙ୍କ ପ୍ରୟାସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ନଭେମ୍ବର ୧୧ରୁ ୧୫ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍’ କୁ ଦୃଷ୍ଟିରେ ରଖି ମୁମ୍ବାଇ ପରେ ଏବେ ଦିଲ୍ଲୀର ଶିଳ୍ପପତିଙ୍କୁ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଆକୃଷ୍ଟ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀରେ ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି ।

ଶ୍ରୀ ପଟ୍ଟନାୟକ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଶିଳ୍ପପତି ମାନଙ୍କୁ ଆହ୍ୱାନ ଦେଇ କହିଛନ୍ତି, ଓଡ଼ିଶା ସରକାର “ଥ୍ରୀ-ଟି” ଯଥା ଟିମୱାର୍କ, ଟେକ୍ନୋଲୋଜି ଏବଂ ଟ୍ରାନସପେରନ୍ସି ଉପରେ ଗୁରୁତ୍ୱ ଦେଇ ଶିଳ୍ପ କ୍ଷେତ୍ରରେ ବିକାଶ ଆଣିବା ପାଇଁ ଉଦ୍ୟମ କରୁଛନ୍ତି ।
ଶିଳ୍ପ ପାଇଁ ଓଡ଼ିଶାରେ ଅନୁକୂଳ ପରିବେଶ ରହିଛି । ଏବଂ ଓଡିଶା ସରକାର ଶିଳ୍ପ କ୍ଷେତ୍ରରେ ବିକାଶ ପାଇଁ ପୁଞ୍ଜି ନିବେଶ କରିବାକୁ ଗୁରୁତ୍ୱ ଦେଉଛନ୍ତି । ଯଦି ଓଡିଶାରେ ଆପଣାମନେ ପୁଞ୍ଜି ନିବେଶ କରୁଛନ୍ତି ତେବେ ଓଡ଼ିଶା ନିଶ୍ଚିତ ଭାବେ ପୂର୍ବ ଭାରତର ‘ମାନୁଫାକଚରିଂ’ ହବ୍ ପାଲଟିବ ବୋଲି ମୋର ଦୃଢ଼ ବିଶ୍ୱାସ ରହିଛି” ।

ଆଜି ଓଡ଼ିଶା ଦକ୍ଷିଣ ଏସିଆର ଆଲୁମିନିୟମ୍ କ୍ୟାପିଟାଲ୍ ର ମାନ୍ୟତା ପାଇପାରିଛି । ଦେଶର ଆଲିମିନିୟମ୍ ଉତ୍ପାଦନରେ ୫୪ ପ୍ରତିଶତ ଭାଗ କେବଳ ଓଡ଼ିଶାର । ଇସ୍ପାତ ନିର୍ମାଣରେ ଓଡ଼ିଶାର ଅଗ୍ରଣୀ ଭୂମିକା ଥିବାରୁ ଓଡ଼ିଶାକୁ ଦେଶର ଷ୍ଟିଲ୍ ହବ୍ ଭାବେ ମଧ୍ୟ ଗଣାଯାଉଛି । ଓଡ଼ିଶାରେ ବନ୍ଦରର କ୍ଷମତା ବର୍ତ୍ତମାନ ପର୍ଯ୍ୟନ୍ତ ୧୦ ଗୁଣ ବୃଦ୍ଧି ହୋଇ ୧୯୦ ମିଲିୟନ ମେଟ୍ରିକ ଟନରେ ପହଞ୍ଚିଛି । ରାଜ୍ୟ ସରକାର ୨୦୩୦ ବର୍ଷକୁ ଦୃଷ୍ଟିରେ ରଖି ରାଜ୍ୟରେ ଥିବା ଖଣିଜ ସମ୍ପଦ ବିକାଶ ଦିଗରେ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିଛନ୍ତି ।

ଦିଲ୍ଲୀରେ ଆୟୋଜିତ ଏହି ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମରେ ଦେଶର ବହୁ ନାମୀ ଶିଳ୍ପସଂସ୍ଥାର ପ୍ରତିନିଧି ଓ ନିବେଶକାରୀମାନେ ଯୋଗଦେଇଥିବା ସୂଚନା ମିଳିଛି ।

Leave a comment