ପଦ୍ମପୁରରେ ବିଜେଡିର ବିଜୟ ପରେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଘୋଷଣାକୁ ନେଇ ଟାର୍ଗେଟ କଲେ ସାଂସଦ ଅପରାଜିତା ଷଡଙ୍ଗୀ
ପଦ୍ମପୁର ଉପ ନିର୍ବାଚନରେ ଯେଉଁ କେତୋଟି ପ୍ରମୁଖ ପ୍ରସଙ୍ଗକୁ ନେଇ ରାଜନୈତିକ ବୟାନବାଜି ଚାଲିଥିଲା, ସେଥିରେ ଥିଲା ପଦ୍ମପୁରକୁ ସ୍ୱତନ୍ତ୍ର ଜିଲ୍ଲା ଘୋଷଣା । ଏଥିପାଇଁଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲା ଘୋଷଣା କରିବାକୁ ଆହ୍ୱାନ ବି ଦେଇଥିଲେ । ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ପ୍ରଚାର ସଭାରୁ ପଦ୍ମପୁରକୁ ଜିଲ୍ଳା କରିବା ନେଇ ପ୍ରତିଶ୍ରୁତି ବି ଦେଇଥିଲେ ।
ଆଉ ଏବେ ଯେତେବେଳେ ବିଜେଡି ବିଜୟୀ ହୋଇଛି, ସେତେବେଳେ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିଶ୍ରୁତି ରକ୍ଷା କରନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।
କୁହାଯାଉଛି, ପ୍ରଚାର ବେଳେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବା ପାଇଁ ନବୀନଙ୍କ ପ୍ରତିଶ୍ରୁତି ପରେ ଉପ ନିର୍ବାଚନ ଅଙ୍କ ବଦଳି ଯାଇଥିଲା । ଦୀର୍ଘଦିନ ଧରି ଏହି ଦାବି ରହିଆସିଥିବା ବେଳେ ଖୋଦ୍ ମୁଖ୍ୟମନ୍ତ୍ରୀ ଏଥିରେ ମୋହର ଲଗାଇବା, ପଦ୍ମପୁରବାସୀଙ୍କୁ ବେଶ ପ୍ରଭାବିତ କରିଥିଲା ।
ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିପୁଳ ଭୋଟରେ ବିଜୟୀ ହେବା ପରେ ଏବେ ପ୍ରତିଶ୍ରୁତି ପୂରଣ କରିବାର ବେଳ । ପଦ୍ମପୁରକୁ ଜିଲ୍ଲା କରିବା ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ଏବେ ପ୍ରତିଶ୍ରୁତି ପୂରଣ କରି ଦେଖାନ୍ତୁ ସରକାର ।
୧୯୯୨-୯୩ରେ ୧୩ଟି ଜିଲ୍ଲାକୁ ବୃଦ୍ଧି କରି ୩୦ ଜିଲ୍ଲାରେ ପରିଣତ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ । ବର୍ଷୀୟାନ ନେତା ଡାକ୍ତର ଦାମୋଦାର ରାଉତଙ୍କ କହିବା କଥା, ନୂଆ ଜିଲ୍ଲା ପାଇଁ ସେତେବେଳେ ୪ଟି ମାନଦଣ୍ଡ ନିଆଯାଇଥିଲା ।
ଏହି ୪ଟି ଆଧାରରେ ନୂଆ ଜିଲ୍ଲା ଗଠନ କରାଯାଇଥିଲା । ଏହି ମାନଦଣ୍ଡରେ ପଦ୍ମପୁର ଆସୁନାହିଁ । ତେବେ ଦାମ ରାଉତଙ୍କ ଜିଲ୍ଲା ଥିଓରୀରେ ଏକମତ ହୋଇନାହାନ୍ତି ବରିଷ୍ଠ ବିଜେପି ନେତା ଖାରବେଳ ସ୍ୱାଇଁ । ତେବେ ପଦ୍ମପୁରକୁ ଜିଲ୍ଲା ଘୋଷଣା କରିବା ହୁଏତ ନବୀନ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ୍ ହୋଇନପାରେ । କିନ୍ତୁ ପଦ୍ମପୁର ଭଳି ରାଜ୍ୟରେ ଆଉ ୧୦ରୁ ଅଧିକ ନୂଆ ଜିଲ୍ଲା ପାଇଁ ଦାବି ହୋଇ ଆସୁଛି । ସବୁ ଦାବି ପୂରଣ କରିବା ସରକାରଙ୍କ ପାଇଁ ସହଜ ହେବନାହିଁ ।