ଭୁବନେଶ୍ୱର ପରେ କଟକକୁ ଫେରିଲା ମାସ୍କ କଟକଣା
ରାଜଧାନୀ ଭୁବନେଶ୍ୱର ପରେ କଟକରେ ବାଧ୍ୟତାମୂଳକ ହେଲା ମାସ୍କ। କୋଭିଡ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସହରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛି କଟକ ମହାନଗର ନିଗମ(ସିଏମ୍ସି)। ନିର୍ଦ୍ଦେଶନାମା ଅନୁଯାୟୀ କଟକରେ ରହୁଥିବା ଏବଂ ଆସୁଥିବା ଲୋକେ ମାସ୍କ ପିନ୍ଧିବେ। ଏହାଛଡ଼ା ବାହାରକୁ କିମ୍ବା ସର୍ବସାଧାରଣ ସ୍ଥାନକୁ ଯାଉଥିବା ଲୋକେ ମାସ୍କ ପିନ୍ଧିବାକୁ ମଧ୍ୟ ଜରୁରୀ କରାଯାଇଛି।
ସର୍ବସାଧାରଣ ସ୍ଥାନରେ ପ୍ରତ୍ୟେକ ବ୍ୟକ୍ତି ଅନ୍ୟମାନଙ୍କଠାରୁ ୨ ମିଟର ସାମାଜିକ ଦୂରତ୍ୱ ରକ୍ଷା କରିବେ। ସେହିପରି ମଲ୍, ଦୋକାନମାନଙ୍କରେ ଲୋକେ ଯେପରି ମାସ୍କ ପନ୍ଧିବେ ଓ ସାମାଜିକ ଦୂରତ୍ୱ ରଖିବେ ତାହାର ଦାୟିତ୍ୱ ସମ୍ପୃକ୍ତ ଅନୁଷ୍ଠାନ ମାଲିକଙ୍କୁ ଦିଆଯାଇଛି। କଟକଣା ପାଳନ ନ ହେଲେ ସମ୍ପୃକ୍ତ ପ୍ରତିଷ୍ଠାନର କର୍ତ୍ତୃପକ୍ଷ ବା ମାଲିକ ଦାୟୀ ରହିବେ। ସରକାରୀ ଓ ବେସରକାରୀ ପ୍ରତିଷ୍ଠାନଗୁ କର୍ମଚାରୀମାନେ ଯେପରି କଟକଣା ପାଳନ କରିବେ ସେଥିନେଇ ସମ୍ପୃକ୍ତ କର୍ତ୍ତୃପକ୍ଷ ଉପଯୁକ୍ତ ପଦକ୍ଷେପ ନେବାକୁ କୁହାଯାଇଛି। ଛିଙ୍କିବା ଓ କାସିବା ବେଳେ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। କେହି ଏହାର ଉଲ୍ଲଂଘନ କଲେ କରୋନା ସଂକ୍ରମଣ ନିୟନ୍ତ୍ରଣ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସିଏମ୍ସି ପକ୍ଷରୁ ଚେତାଇ ଦିଆଯାଇଛି।