ଆଫଗାନିସ୍ତାନରେ ଆତ୍ମଘାତୀ ହମଲା : ୧୭ ମୃତ ୩୦ ଆହତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆଫଗାନିସ୍ତାନର ପୂର୍ବ ଲୋଗାର ଅଞ୍ଚଳରେ ଗୁରୁବାର ଆତ୍ମଘାତୀ ବିସ୍ଫୋରଣରେ ପ୍ରାୟ ୧୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୦ ଜଣ ଗୁରୁତର ଆହତ ହୋଇଛନ୍ତି।
ସୂଚନାଯୋଗ୍ୟ, ହମଲାରେ ଅଧିକାଂଶ ସାଧାରଣ ନାଗରିକ ଆହତ ଓ ନିହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୬ଜଣ ପୋଲିସକର୍ମୀ ଓ ୩ ଜଣ ସାଧାରଣ ନାଗରିକ ଅଛନ୍ତି । ଆହତଙ୍କ ମଧ୍ୟରେ ଅଧିକାଂଶ ସାଧାରଣ ନାଗରିକ ଅଛନ୍ତି । ୩ ଜଣ ସାଧାରଣ ନାଗରିକ ଥାନା ବାହାରେ କାରରେ ଥିଲେ ଏବଂ ସେମାନେ ଯାଞ୍ଚ ପାଇଁ ଆସିଥିଲେ । ଆହତଙ୍କ ମଧ୍ୟରେ କିଛି ଶିଶୁ ମଧ୍ୟ ଅଛନ୍ତି।
ଇଦ- ଉଲ-ଅଜହାର ଦିନେ ପୂର୍ବରୁ ହୋଇଥିବା ଏହି ହମଲା ପାଇଁ ତାଲିବାନ ନିଜକୁ ଦାୟୀ କରିନାହିଁ । ଇଦ ପାଇଁ ତାଲିବାନ ୩ ଦିନ ପାଇଁ ସଂଘର୍ଷବିରାମ ଘୋଷଣା କରିଥିଲା । ତାଲିବାନ ପ୍ରବକ୍ତା ଜବିହୁଲ୍ଲା ମୁଜାହିଦ କହିଛନ୍ତି ଯେ ସଂଘର୍ଷବିରାମ ଜାରି ରହିଛି। ହମଲା ପାଇଁ ସେ ଗୁଇନ୍ଦା ସଂସ୍ଥାକୁ ଦାୟୀ କରିଛନ୍ତି ଏବଂ କହିଛନ୍ତି ଯେ ଗୁଇନ୍ଦା ସଂସ୍ଥା ଚାହୁଁଛନ୍ତି ଯେ ଆଫଗାନିସ୍ତାନରେ ସଂଗ୍ରାମ ଜାରି ରହୁ।