ଅବଦୁର‌ ରହେମାନକୁ ୭ ବର୍ଷ ୫ ମାସ ଜେଲ୍ ଦଣ୍ଡାଦେଶ

0

ଭାରତରେ ଉଗ୍ରବାଦୀ ସ˚ଗଠନ ଅଲ୍‌ କଏଦାର ନେଟୱର୍କ ପ୍ରସାର ଉଦ୍ୟମ ଅଭିଯୋଗରେ ଦିଲ୍ଲୀ ପୁଲିସ ଦ୍ବାରା ଗିରଫ ହୋଇଥିବା କଟକର ଅବଦୁର‌ ରହେମାନକୁ ଆଜି ଦଣ୍ଡବିଧାନ ହୋଇଛି। ତାକୁ ୭ ବର୍ଷ ୫ ମାସ ଜେଲ୍ ଦଣ୍ଡାଦେଶ ସହ ୨୫ ହଜାର ଟଙ୍କାର ଜରିମାନା ଆଦାୟ ଲାଗି ପଟିଆଲା ହାଉସ କୋର୍ଟ ନିର୍ଦେଶ ଦେଇଛନ୍ତି। ରହେମାନ ସହିତ ମହମ୍ମଦ ଆସିଫ, ଜାଫର ମାସୁଦ ଓ ଅବଦୁଲ ସାମିଙ୍କୁ ମଧ୍ୟ ଅନୁରୂପ ଦଣ୍ଡବିଧାନ ହୋଇଛି।

ସୂଚନାଯୋଗ୍ୟ, ଭାରତରେ ଉଗ୍ରବାଦୀ ସ˚ଗଠନ ଅଲ୍‌ କଏଦାର ନେଟୱର୍କ ପ୍ରସାର ଉଦ୍ୟମ ଅଭିଯୋଗରେ ଦିଲ୍ଲୀ ପୁଲିସ ଦ୍ବାରା ଗିରଫ ହୋଇଥିବା କଟକର ଅବଦୁର‌ ରହେମାନ ସମେତ ୪ଜଣଙ୍କୁ ଦିଲ୍ଲୀର ଏକ ଅଦାଲତ ଆଗରୁ ଦୋଷୀ ସାବ୍ୟସ୍ତ କରିଥିଲେ। ପଟିଆଲା ହାଉସ କୋର୍ଟର ଅତିରିକ୍ତ ଦୌରା ଜଜ୍ ମାମଲାର ଶୁଣାଣି କରି ରହେମାନ ସହିତ ମହମ୍ମଦ ଆସିଫ, ଜାଫର ମାସୁଦ ଓ ଅବଦୁଲ ସାମିଙ୍କୁ ଅନ୍‌ଲଫୁଲ ଆକ୍ଟିଭିଟିଜ୍ ପ୍ରିଭେନସନ୍ ଆକ୍ଟର ଧାରା ୧୮ ଓ ୧୮-ବିରେ ଦୋଷୀ ସାବ୍ୟସ୍ତ କରିଥିଲେ। ଅନ୍ୟପକ୍ଷରେ ଅଦାଲତ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଉପଯୁକ୍ତ ପ୍ରମାଣ ଅଭାବରୁ ନିର୍ଦ୍ଦୋଷ‌ରେ ଖଲାସ କରିଥିଲେ। ତେବେ ସୟଦ ମହମ୍ମଦ ଜିସାନ ଅଲ୍ଲୀ ଓ ସବିଲ ଅହମଦଙ୍କୁ ପ୍ରମାଣ ଅଭାବରୁ ଖଲାସ କରିଦେଇଥିଲେ କୋର୍ଟ। ଦୁଇ ଜଣଙ୍କୁ ୧୦ ହଜାର ଟଙ୍କାର ପର୍ସନାଲ ବଣ୍ଡରେ ଖଲାସ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଉଲ୍ଲେଖଯୋଗ୍ୟ ଯେ ୨୦୧୫ରେ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ଏକ ଏତଲାରେ ଦର୍ଶାଇଥିଲା ଯେ ଅଲ କାଏଦା ଭାରତରେ ନିଜର ନେଟୱର୍କ ସଂପ୍ରସାରଣ କରିବା ପାଇଁ ଚେଷ୍ଟା କରୁଛି। ରହେମାନକୁ କମିସନରେଟ୍‌ ପୁଲିସ ସହାୟତାରେ ଦିଲ୍ଲୀ ପୁଲିସ ୨୦୧୫ ଡିସେମ୍ବର ୧୬ ତାରିଖରେ ଜଗତପୁର ଥାନା ଅନ୍ତର୍ଗତ ପଶ୍ଚିମକଚ୍ଛରୁ ଗିରଫ କରିଥିଲା। ଏହି ଘଟଣା ସେତେବେଳେ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା। ରହେମାନକୁ ଦିଲ୍ଲୀ ନିଆଯିବା ପରେ ସେଠାରେ ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ସମେତ ଅନ୍ୟ ରାଜ୍ୟର ପୁଲିସ୍‌ ତାକୁ ଜେରା କରି ତଥ୍ୟ ହାସଲ ପାଇଁ ଉଦ୍ୟମ କରିଥିଲେ। ସେ ଟାଙ୍ଗୀ ଥାନା ଅନ୍ତର୍ଗତ ବିଲତେରୁଆଁ ଅଞ୍ଚଳରେ ଏକ ମଦ୍ରାସା ଖୋଲି ସେଠାରେ ଝାଡ଼ଖଣ୍ତ, ବିହାର ଅଞ୍ଚଳର ପିଲାଙ୍କୁ ଆଣି ଶିକ୍ଷା ଦେଉଥିଲା। ଓଡିଶା ଲିଙ୍କ୍‌ ସମ୍ପର୍କରେ ଖୋଳତାଡ ପାଇଁ କ୍ରାଇମ୍‌ବ୍ରାଞ୍ଚ ତାକୁ ଦୁଇଟି ପର୍ଯ୍ୟାୟରେ ୧୭ ଦିନ ରିମାଣ୍ତ୍‌ରେ ନେଇ ଜେରା କରିଥିଲା। ରହେମାନ ବିରୋଧରେ ପୂର୍ବରୁ କ୍ରାଇମବ୍ରାଞ୍ଚ ସାଲେପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅଦାଲତରେ ଅନ୍‌ଲଫୁଲ ଆକ୍ଟିଭିଟିଜ୍‌(ପ୍ରିଭେନସନ୍‌) ଆଇନ, ୧୯୬୭ର ଧାରା ୧୬, ୧୭, ୧୮, ୧୮-ବି, ୨୦, ୨୧, ୩୮, ୪୦ ଓ ଆଇପିସିର ଦଫା ୧୨୪-କରେ ଚାର୍ଜସିଟ୍‌ ଦାଖଲ କରିଥିଲା। ଏହି ସବୁ ଦଫାରେ ରୁଜୁ ମାମଲା ଦୌରା ଜଜଙ୍କ ନିକଟରେ ବିଚାର ଯୋଗ୍ୟ ହୋଇଥିବା ବେଳେ କଗନିଜାନ୍ସ ଗ୍ରହଣ ପରେ ମାମଲା ସାଲେପୁର ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତରୁ କଟକ ଜିଲ୍ଲା ଓ ଦୌରା ଜଜ୍‌ ଅଦାଲତକୁ ଶୁଣାଣି ପାଇଁ ସ୍ଥାନାନ୍ତର ହୋଇଥିଲା।

Leave a comment