ପୁରୀ ସହରରେ ଥିବା ବିଭିନ୍ନ ଜାଗା ଆଖଡାର ହେବ ପୁନରୁଦ୍ଧାର ଓ ଉ‌ନ୍ନତିକରଣ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀ ସହରରେ ଥିବା ବିଭିନ୍ନ ଜାଗା ଆଖଡା ଶ୍ରୀମନ୍ଦିର ସହିତ ଓତଃପ୍ରୋତ ଭାବେ ଜଡ଼ିତ ଥିବାବେଳେ ଏହାର ଉନ୍ନତିକରଣ ପାଇଁ ଅଣ୍ଟା ଭିଡିଛି ଜିଲ୍ଲା ପ୍ରଶାସନ। ଜାଗା ଆଖଡା ଗୁଡିକରେ ବ୍ୟାୟାମ ଶାଳା, ଉପକରଣ, ପାର୍କ, ପୋଖରୀର ହେବ ଆଧୁନିକରଣ । ମୁଖ୍ୟତଃ ଜାଗା ଆଖଡାଗୁଡିକୁ କୁସ୍ତି କ୍ରୀଡ଼ାର ପ୍ରମୁଖ କେନ୍ଦ୍ର କରାଯିବ।
ଶ୍ରୀମନ୍ଦିର ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ପୁରୀର ପ୍ରମୁଖ ସାତ ସାହିରେ ଶ୍ରୀକ୍ଷେତ୍ରର ସୁରକ୍ଷା ପାଇଁ ଗଢି ଉଠିଛି ଜାଗା, ଆଖଡା, କୋଟ। ଏଠାରେ କୁସ୍ତି, ମଲ୍ଲ ବିଦ୍ୟା ଓ ଅନ୍ୟାନ୍ୟ ଶାରୀରିକ ବ୍ୟାୟାମ କରି ଯୁବଗୋଷ୍ଠୀମାନେ ନିଜକୁ ଫିଟ୍ ରଖିବା ସହ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ପୁରୀ ପାଇଁ ଅନେକ ସୁନାମ ଆଣିଛନ୍ତି । ତେବେ ପ୍ରୋତ୍ସାହନ ଅଭାବରୁ କୁସ୍ତି ସଂସ୍କୃତି କମି ଯାଇଥିବା ବେଳେ ପ୍ରଶାସନ ଏବେ ଜାଗା ଆଖଡାର ଉନ୍ନତିକରଣ କରିବା ପାଇଁ ପ୍ରୟାସ ଆରମ୍ଭ କରିଥିବାରୁ ଜାଗା ଆଖଡାର କର୍ମକର୍ତ୍ତା ଓ ବୁଦ୍ଧିଜୀବୀ ସ୍ବାଗତ କରିଛନ୍ତି।

ବିଶେଷ କରି ସେବାୟତ ଘରର ଯୁବକମାନେ ଜାଗା ଆଖଡାରେ ଶାରୀରିକ ବ୍ୟାୟାମ କରି ନିଜର ଶରୀରଚର୍ଯ୍ୟା କରି ମହାପ୍ରଭୁଙ୍କ ବିଭିନ୍ନ ସେବାରେ ଯୋଗ ଦେଇଥାନ୍ତି । ପୂର୍ବ କାଳରେ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଏହି ଜାଗା ଆଖଡାର ପରମ୍ପରା ସୃଷ୍ଟି ହୋଇଥିବାବେଳେ ଏଠାରେ ଯୁବ ସେବାୟତମାନେ ମଲ୍ଲ ଓ କୁସ୍ତି ଆଦି ଶିକ୍ଷା ଲାଭ କରୁଥିଲେ। ସହରରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଜାଗା ଆଖଡା, କୋଟ ଥିବାବେଳେ ଅର୍ଥ ଅଭାବ ହେତୁ ଏବେ ହାତଗଣତି କେତୋଟି ଜାଗା ଆଖଡା ନିଜର ପରମ୍ପରାକୁ ବଜାୟ ରଖିଛନ୍ତି । ତେବେ ମୁକ୍ତା ଯୋଜନାରେ ଜାଗା ଆଖଡା ଭିତ୍ତିଭୂମିର ଉନ୍ନତିକରଣ କରାଯିବ ବୋଲି ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଓ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି । ଗତ କିଛି ଦିନ ପୂର୍ବେ ଜିଲ୍ଲାପାଳ ନିଜେ ବିଭିନ୍ନ ଜାଗା ଆଖଡା ପରିଦର୍ଶନ କରି ସେଠାରେ ଥିବା ପାରମ୍ପରିକ ସମରକଳା ଅସ୍ତ୍ରଶସ୍ତ୍ର ଯଥା ଭାଲା, ଲାଠି, ଛୁରୀ, ଖଣ୍ଡା, କଟାରୀ ସୁରକ୍ଷିତ ରହିଥିବା ଦେଖି ବେଶ୍ ଖୁସି ପ୍ରକଟ କରିବା ସହ କମିଟି ସହ ଆଲୋଚନା କରିଛନ୍ତି।

Leave a comment