ଉପସ୍ଥାପିତ ହେଲା ସ୍ବରାଷ୍ଟ୍ର ବିଭାଗର ଶ୍ୱେତପତ୍ର; ରାଜ୍ୟରେ ଆଇନ ଶୃଙ୍ଖଳା ଶାନ୍ତିପୂର୍ଣ୍ଣ ରହିଛି

ବିଧାନସଭାରେ ଆଜି ୨୦୨୧ ବର୍ଷ ଲାଗି ଉପସ୍ଥାପିତ ହୋଇଛି ସ୍ବରାଷ୍ଟ୍ର ବିଭାଗର ଶ୍ୱେତପତ୍ର । ରାଜ୍ୟରେ ଆଇନ ଶୃଙ୍ଖଳା ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ରହିଥିବା ଶ୍ୱେତପତ୍ରରେ ବିଭାଗ ଦର୍ଶାଇଛି । ରାଜ୍ୟରେ ମାଓବାଦୀଙ୍କ ସହ ୨୧ଥର ସମେତ ମୋଟ ୨୮ଥର ଗୁଳି ବିନିମୟ ଘଟଣା ଘଟିଛି । ଏଯାଏଁ ରାଜ୍ୟରେ ସନ୍ତ୍ରାସବାଦୀ କାର୍ଯ୍ୟକଳାପ ହୋଇନଥିବା ସହ ୨୦୨୧ ମସିହାରେ ରାଜ୍ୟରେ କୌଣସି ଛାତ୍ର ଅଶାନ୍ତି ଦେଖା ଦେଇନଥିବା ବିଭାଗ ଦର୍ଶାଇଛି ।
୨୦୨୧ ରେ ହତ୍ୟା,ଲୁଣ୍ଠନ ଓ ଠକେଇ ହ୍ରାସ ପାଇଥିବା ବେଳେ ସିନ୍ଧି ଚୋରି ବୃଦ୍ଧି ପାଇଛି। ଏହା ସହ ରାଜ୍ୟ ମାଓ ହିଂସା ହ୍ରାସ ପାଇଛି। ମାଓ ପ୍ରଭାବିତ ୧୦ଟି ଜିଲାରେ ବିକାଶ ତ୍ୱରାନ୍ୱିତ ହୋଇଛି। ଗତବର୍ଷ ୨୧ ଜଣ ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି। ପୋଲିସ ଓ ମାଓ ଗୁଳିବିନିମୟ ରେ ୭ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଶାନ୍ତିପୂର୍ଣ୍ଣ ରହିଛି। ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ଶ୍ୱେତପତ୍ରରୁ ଏହା ସାମ୍ନାକୁ ଆସିଛି। ସେପଟେ ବିରୋଧୀ କହିଛନ୍ତି,ରାଜ୍ୟରେ ଦୁଷ୍କର୍ମ ମାମଲା ବଢିଛି। ୨୦୨୦ ତୁଳନାରେ ୨୦୨୧ରେ ଏ ମାମଲା ମଧ୍ୟ ବଢିଛି। ସାମଗ୍ରିକ ଭାବେ ରାଜ୍ୟର ଅପରାଧିକ ହାର ବଢିଛି।
ଆଜି ଗୃହ ବିଭାଗର ଖର୍ଚ୍ଚଦାବି ଆଲୋଚନା ବେଳେ ଶ୍ୱେତ ବିଭାଗର ଏ ତଥ୍ୟକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଶ୍ୱେତପତ୍ରରେ ସରକାର ତଥ୍ୟ ଲୁଚାଇଛନ୍ତି। ଦୁଷ୍କର୍ମ ଭଳି ଧର୍ତ୍ତଵ୍ୟ ଅପରାଧ ବଢ଼ି ଚାଲିଛି। ଦିନକୁ ୯ଜଣ ଦୁଷ୍କର୍ମର ଶିକାର ହେଉଛନ୍ତି। ନିଖୋଜ ଘଟଣା ବଢ଼ି ବଢ଼ି ଚାଲିଛି, ତାକୁ ରାଜ୍ୟ ସରକାର ଶ୍ୱେତପତ୍ରରେ ଉଲ୍ଲେଖ କରିନାହାନ୍ତି ବୋଲି କଂଗ୍ରେସ ବିଧାୟକ ଦଳ ନେତା କହିଛନ୍ତି। ସେହିପରି ବିଜେପି କହିଛି,ଆଇନଶୃଙ୍ଖଳା ପରିସ୍ଥିତି ବିଗୁଡିଛି। ଅପରାଧୀଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ରାଜ୍ୟ ସରକାରଙ୍କ ହାର ଚିନ୍ତାଜନକ। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିଛି। ଯିଏ ବି ଦୋଷୀ ହେଇଥାଉ ନା କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ରାଜ୍ୟରେ ଦଣ୍ଡବିଧାନ ହାର ମଧ୍ୟ ଭଲ ରହିଛି ବୋଲି ଶାସକ ଦଳ କହିଛି।
ଗୃହ ବିଭାଗର ଖର୍ଚ୍ଚଦାବି ଆଲୋଚନାରେ ଭାଗ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ରଖିଲେ ବିବୃତ୍ତି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି। ମାଓବାଦୀ କାର୍ଯ୍ୟକଳାପ କମିଛି। ମାନବସମ୍ବଳ ବଢାଇବା ପାଇଁ ପ୍ରାଥମିକତା ଦିଆଯାଇଛି। ୭୩୦ ASI,SI ପଦବୀ ପୂରଣ ହେବ। ଅର୍ଥନୈତିକ ଅପରାଧ ରୋକିବା ପାଇଁ 50ଟି ସାଇବର ଥାନା ପ୍ରତିଷ୍ଠା କରାଯାଇଛି। ଟ୍ରାନ୍ସଜେଣ୍ଡର ମାନଙ୍କୁ ଏସଆଇ ପଦବୀରେ ନିଯୁକ୍ତି ଦିଆଯାଇଛି। ପଞ୍ଚାୟତ,ପୌର ନିର୍ବାଚନ ଓ ମାଓ ଇଲାକାରେ ଶାନ୍ତି ଶୃଙ୍ଖଳା ରେ ନିର୍ବାଚନ କରାଯାଇଛି।