ସ୍କୁଲ ବସରେ ଛାତ୍ରଛାତ୍ରୀ ପିଇଲେ ମଦ, ପୁଲିସକୁ ମାମଲାର ଯାଞ୍ଚ ନିର୍ଦ୍ଦେଶ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସ୍କୁଲ ବସରେ ଛାତ୍ରଛାତ୍ରୀ ସାଙ୍ଗହୋଇ ମଦ ପିଉଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ । ଏଭଳି ଏକ ଘଟଣା ତାମିଲନାଡୁ ଚେଙ୍ଗଲପଡ୍ଡୁ ଜିଲ୍ଲାରେ ଘଟିଥିବା ନେଇ ଚର୍ଚ୍ଚା ହେଉଛି । ଘଟଣାଟି ଜିଲ୍ଲା ଶିକ୍ଷାଧିକାରୀ ଅତ୍ୟନ୍ତ ଗୁରୁତର ସହ ନେଇ ପୁଲିସ ଦ୍ୱାରା ମାମଲାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଅନୁଯାୟୀ, ଏକ ବସରେ ସ୍କୁଲ ୟୁନିଫର୍ମ ପିନ୍ଧିଥିବା ସମସ୍ତ ଛାତ୍ରଛାତ୍ରୀ ଏକା ସାଙ୍ଗରେ ବିୟର ବୋତଲ ଖୋଲି ପିଉଥିବାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ସେମାନେ ସମସ୍ତେ ଚେଙ୍ଗଲପଡ୍ଡୁ ଜିଲ୍ଲାର ଏକ ସରକାର ସ୍କୁଲ୍ର ଛାତ୍ରଛାତ୍ରୀ ବୋଲି ଜଣାପଡ଼ିଛି। ଏହି ଭିଡିଓକୁ ସେହି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କେହି ଜଣେ ରେକର୍ଡିଂ କରି ସୋସିଆଲ୍ ମିଡିଆରେ ଅପଲୋଡ କରିଥିବା କୁହାଯାଉଛି। ବିଦ୍ୟାର୍ଥୀମାନେ ସ୍କୁଲ୍ ୟୁନିଫର୍ମରେ ତିରୁକାଝୁକୁନ୍ଦ୍ରମ ରୁ ଠାଚୁର ଯାଉଥିବା ବସରେ ବସି ଏପରି ଉତ୍ପାତ କରିଥିଲେ। ଜିଲ୍ଲା ଶିକ୍ଷାଧିକାରୀ ଘଟଣାକୁ ଗୁରୁତର ସହ ନେଇ ପୁଲିସ ଦ୍ୱାରା ମାମଲାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି।
ସୂଚନା ଥାଉକି, ଏହା ପୂର୍ବରୁ କର୍ଣ୍ଣାଟକର ତୁମକୁର ଠାରେ ୨୦୧୭ରେ ଏପରି ଏକ ଘଟଣା ଘଟିଥିଲା । ଜିଲ୍ଲାର ଏକ ସରକାରୀ ସ୍କୁଲର ପ୍ରଧାନଶିକ୍ଷକ ଓ ଦୁଇ ଅନ୍ୟ ଶିକ୍ଷକ ଛାତ୍ରଛାତ୍ରୀମାନଙ୍କୁ ପାଣି ବଦଳରେ ମଦ ପିଇବାକୁ ଦେଇଦେଇଥିଲେ। କାରଣ ଦୁଇ ଶିକ୍ଷକ ପୂର୍ବରୁ ନିଶାରେ ମାତାଲ ଥିଲେ। ମଦ ପିଇଥିବା ଛାତ୍ରଛାତ୍ରୀମାନେ ଯଥାକ୍ରମେ ୮,୯,୧୦ ଶ୍ରେଣୀର ଥିଲେ। ମାମଲା ଥାନାରେ ପହଞ୍ଚିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା।