ମାଆର ଔଷଧ ଖର୍ଚ୍ଚ ଅଧିକ ହେବାରୁ ଅଣନିଶ୍ୱାସୀ କରି ମାରିଦେଲା ପୁଅ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦୁନିଆର ସବୁ ଦୁଃଖ, କଷ୍ଟ ସହିବା ସଙ୍ଗେ ସଙ୍ଗେ ପିଲାଙ୍କ ସବୁ ଅଳିଅର୍ଦ୍ଧଳିକୁ ସହି ମାବାପା ପିଲାଙ୍କୁ ବଡ଼ କରନ୍ତି । କିନ୍ତୁ ମାବାପାଙ୍କ ବୃଦ୍ଧାଵସ୍ଥା ବେଳେ ସାମାନ୍ୟ ଔଷଧ ଖର୍ଚ୍ଚ ବି ତୁଲାଇବାକୁ ପିଲାମାନେ ଅସମର୍ଥ ହୁଅନ୍ତି । ଯାହାଫଳରେ ମାବାପାଙ୍କ ହତ୍ୟା ଭଳି ଜଘନ୍ୟ କାଣ୍ଡ ମଧ୍ୟ ଘଟାଉଥିବା ଦେଖିବାକୁ ମିଳିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୁମ୍ବାଇରେ ।
୮୦ବର୍ଷୀୟା ମା ର ଔଷଧ ପାଇଁ ଅଧିକ ଟଙ୍କା ଖର୍ଚ୍ଚ ହେଉଥିବା ଯୋଗୁଁ ମୁମ୍ବାଇ ବୋରିଭାଲି ଅଞ୍ଚଳର ଯୋଗେଶ ଶୋନୟେ ନାମକ ଜଣେ ବ୍ୟକ୍ତି ନିଜ ମାକୁ ଅଣନିଶ୍ୱାସୀ କରି ମାରିଦେଇଛନ୍ତି । ପ୍ରଥମେ ତାଙ୍କୁ ଅଧିକ ନିଦ ବଟିକା ଖାଇବାକୁ ଦେଇ ଦେବା ପରେ ମୁହଁରେ ତକିଆ ପକାଇ ଅଣନିଶ୍ୱାସୀ କରିଦେଇଥିଲେ । ଫଳରେ ବୃଦ୍ଧାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ତେବେ ଏହାର ୭ଘଣ୍ଟା ପର୍ଯ୍ୟନ୍ତ ଯୋଗେଶ ମୃତଦେହ ନିକଟରେ ବସି ରହିବା ପରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ । ଏବେ ତାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଔଷଧ ଖର୍ଚ୍ଚ ଅଧିକ ହେଉଥିବା ଯୋଗୁଁ ପୂର୍ବରୁ ଯୋଗେଶ ଓ ତାଙ୍କ ମା ଙ୍କ ମଧ୍ୟରେ ଖୁବ ଝଗଡା ହେଉଥିଲା । ସେ ୨ଥର ତାଙ୍କ ମା ଙ୍କୁ ମାରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ ।