ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

0

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଜୁଲାଇରେ ଓଡିଶାର ୩ ରାଜ୍ୟସଭା ଆସନ ଖାଲି ହେଉଛି । ଖାଲି ହେଉଥିବା ଏହି ସମସ୍ତ ଆସନ ଲାଗି ପ୍ରକାଶ ପାଇଛି ବିଜ୍ଞପ୍ତି । ଜୁନ୍ ୧୦ ରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ମେ’ ୩୧ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ, ଜୁନ୍ ୧ ତାରିଖରେ ନାମାଙ୍କନ ଯାଞ୍ଚ, ୩ ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର ପାଇଁ ସମୟ ଦିଆଯାଇଛି । ତେବେ ଓଡିଶାର ଖାଲି ହେଉଥିବା ଏହି ୩ ଆସନ ଲାଗି କିଏ ଯିବେ ରାଜ୍ୟସଭା ।

ସିଟ କମ୍ ଆଶାୟୀ ଅନେକ । ବିଜେଡି ସୁପ୍ରିମୋ ଅସନ୍ତୁଷ୍ଟ ଆଶାୟୀଙ୍କୁ ପ୍ରାର୍ଥୀ କରୁଛନ୍ତି ନା ପୁଣି କେଉଁ ନୂଆ ଚେହେରାକୁ ବାଛୁଛନ୍ତି ତାହା ସମୟ ହିଁ କହିବ। ଆନୁଗତ୍ୟ, ଦକ୍ଷତା, ଅଭିଜ୍ଞତା ଥିବା ବ୍ୟକ୍ତିଙ୍କୁ ବାଦ ଦେଇ ସାମ୍ପ୍ରତିକ ସ୍ଥିତିକୁ ନବୀନ ପ୍ରସଙ୍ଗ କରିପାରନ୍ତି ବୋଲି ଚର୍ଚ୍ଚା ଯୋର ଧରିଛି ।

ସସ୍ମୀତ ପାତ୍ର, ପ୍ରସନ୍ନ ଆଚାର୍ଯ୍ୟ ଓ ଏନ୍ ଭାଷ୍କର ରାଓ ଆସନ୍ତା କାହାକୁ ବାଛିବେ ବିଜେଡି ସୁପ୍ରିମୋ । କିଏ ହେବ ନବୀନଙ୍କ ଭରସା ଯୋଗ୍ୟ ନେତା । ତାକୁ ନେଇ କିଛି ଦିନ ହେବ ପାଓ୍ବାର କରିଡରରେ ଚାଲିଛି ନାନା କଳ୍ପନା ଜଳ୍ପନା । ସଂଖ୍ୟା ଦୃଷ୍ଟିରୁ ବିଜେଡି ଖାତାକୁ ୩ଟି ଆସନ ଯିବା ସୁନିଶ୍ଚିତ । ସେପଟେ ଦିନକୁ ଦିନ ବିଜେଡି ଭିତରେ ଆଶାୟୀଙ୍କ ସଂଖ୍ୟା ଲମ୍ବୁଥିବାରୁ ୩ ରାଜ୍ୟସଭା ଆସନ ଲାଗି କେଉଁମାନେ ଦାବିଦାର ତାକୁ ନେଇ ସୃଷ୍ଟି ହୋଇଛି ସସପେନ୍ସ । ଅସନ୍ତୁଷ୍ଟ ଓ ଆମଦାନୀ ନେତା, ସରକାରୀ ଅଧିକାରୀ, ଶିଳ୍ପଦ୍ୟୋଗୀ ଏବଂ ସିନେ ତାରକା ପାଓ୍ବାର କରିଡରେ ଆରମ୍ଭ କରି ଦେଇଛନ୍ତି ଯୋରଦାର ଲବି । ରେସର ଆଗରେ ରହିଛନ୍ତି କଂଗ୍ରେସ କ୍ୟାମ୍ପ ଛାଡି ବିଜେଡିରେ ମିଶିଥିବା ପ୍ରଦୀପ ମାଝୀ, ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜଙ୍କ ସମେତ ଜଣେ ଅଣରାଜନୈତିକ ଚେହେରା । ଏହାବାଦ୍ ସୁବ୍ରତ ବାଗଚିଙ୍କ ପତ୍ନୀ ସୁସ୍ମୀତା ବାଗଚି, ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର, କଳିକେଶ ସିଂ ଦେଓ, ପୁସ୍ପେନ୍ଦ୍ର ସିଂ ଦେଓ, ସିନେ ତାରକା ଅରିନ୍ଦମ ରାୟଙ୍କ ସମେତ ଜଣେ ଶିଳ୍ପଦ୍ୟୋଗୀଙ୍କ ନାଁ ବି ବେଶ ଚର୍ଚ୍ଚା ହେଉଛି । ସେହିଭଳି ପୂର୍ବରୁ ନବୀନ ପଟ୍ଟନାୟକ ଭୁବନେଶ୍ବରର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ବହ୍ମପୁରର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ରାଜ୍ୟସଭା ପଠାଇବା ପାଇଁ ପ୍ରତିଶ୍ରୁତି ଦେଇସାରିବା ପରେ ବି ତାଙ୍କୁ ନିରାଶ ହେବାକୁ ପଡିଥିଲା । ତେଣୁ ହାଇକମାଣ୍ଡ ଏଥର ତାଙ୍କ ପ୍ରତିଶ୍ରୁତି ରଖିବେ କି ନାହିଁ ଏହାକୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନାଜଳ୍ପନା ।

Leave a comment