ବୁଥରେ ଇ.ଭି.ଏମ ଭାଙ୍ଗି ଗିରଫ ହେଲେ ବିଧାୟକ ପ୍ରାର୍ଥୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଥିବା ବେଳେ ମତଦାନ କେନ୍ଦ୍ରରେ ଇଭିଏମ୍ କଚାଡ଼ି ଭାଙ୍ଗି ଦେଇଛନ୍ତି ଜଣେ ବିଧାୟକ ପ୍ରାର୍ଥୀ । ଏ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାର ଗୁଣ୍ଟକଲ ନିର୍ବାଚନ ମଣ୍ଡଳୀରେ । ସେ ହେଲେ ଜନସେନା ପାର୍ଟିର ବିଧାୟକ ପ୍ରାର୍ଥୀ ମଧୁସୂଦନ ଗୁପ୍ତା । ଏହି ଘଟଣା ପରେ ମଧୁସୂଦନଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଛି । ମଧୁସୂଦନ ଅନନ୍ତପୁର ଜିଲ୍ଲାର ଗୁଣ୍ଟାକାଲ ବିଧାନସଭା ନିର୍ବାଚନ ମଣ୍ଡଳୀର ଗୋଟିଏ ଭୋଟ୍ ପୋଲିଙ୍ଗ୍ ଷ୍ଟେସନର ଚଟାଣ ଉପରେ ଇଭିଏମ୍ କଚାଡ଼ି ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା । ଏହା ପରେ ତାଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ କହିଛି ।
ସୂଚନାଯୋଗ୍ୟ, ଅନନ୍ତପୁର ଜିଲ୍ଲାର ଗୁତି ସ୍ଥିତ ବୁଥ୍କୁ ମଧୁସୂଦନ ଗୁରୁବାର ଭୋଟ୍ ଦେବାକୁ ଯାଇଥିଲେ । ତେବେ ଇଭିଏମ୍ରେ ବିଧାନସଭା ଓ ଲୋକସଭା ଆସନର ନାଁ ଭଲ ଭାବେ ଦେଖା ନଯିବାରୁ ସେ ଏନେଇ ପୋଲିଂ ଅଧିକାରୀଙ୍କ ନିକଟରେ ଅଭିଯୋଗ କରି ଥିଲେ । ତେବେ ସନ୍ତୋଷଜନକ ଉତ୍ତର ନ ପାଇବାରୁ ସେ ଇଭିଏମ୍କୁ ତଳେ କଚାଡ଼ି ଭାଙ୍ଗି ଦେଇଥିଲେ ବୋଲି ଜଣାପଡିଛି ।