ଜଣେ ରାଜମିସ୍ତ୍ରୀ ହେବେ ଭୁବନେଶ୍ୱରର ନୂଆ ଡେପୁଟି ମେୟର !!

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜଧାନୀର ଡେପୁଟି ମେୟର ପଦକୁ ନେଇ ଚାଲିଥିଲା ଛକାପଞ୍ଜା । ଏହି ଛକାପଞ୍ଜାର ଅନ୍ତ ଘଟିଛି । କଟକ ପରି ଭୁବନେଶ୍ୱରରେ ଚକମା ଦେବେ ନବୀନ । ରାଜଧାନୀରେ ଜଣେ ଅନୁସୂଚିତ ଜନଜାତି କର୍ପୋରେଟରଙ୍କୁ ଡେପୁଟି ମେୟର ହେବା ସୁଯୋଗ ପ୍ରଦାନ କରିବା ନେଇ ଚର୍ଚ୍ଚା ଜୋର ଧରିଛି । ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ୮ନଂ ୱାର୍ଡର କର୍ପୋରେଟର ଲାଲମୋହନ ଟୁଡୁଙ୍କ ମୁଣ୍ଡରେ ଲାଗିବ ଡେପୁଟି ମେୟର ମୁକୁଟ। କଟକ, ଭୁବନେଶ୍ୱର ମହାନଗର ନିଗମର ର ଉନ୍ନତି ଦାୟିତ୍ୱ ଚିରାଚରିତ ଢଙ୍ଗରୁ ଟିକେ ହଟି ସାଧାରଣ ଲୋକଙ୍କ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱାସ ରଖିଛନ୍ତି ।

କଟକରେ ଦମୟନ୍ତି ସିଏମସି ସର୍ବ କନିଷ୍ଠା ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଛନ୍ତି । ସେ କଟକ ୪୯ ନଂ ଓ୍ବାର୍ଡରୁ ବିଜେଡି ଟିକେଟ ପାଇ କର୍ପୋରେଟର ଭାବରେ ବିଜୟୀ ହୋଇଥିଲେ। ଦମୟନ୍ତି ଜଣେ ଆଦିବାସୀ ଯୁବତୀ । ସେ ରେଭେନ୍ସା ବିଶ୍ବ ବିଦ୍ୟାଳୟର ବାଣିଜ୍ୟ ବିଭାଗ ପିଜି ଶେଷ ବର୍ଷ ଛାତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଉପରେ ଭରସା ରଖି ସିଏମସି ଡେପୁଟି ମେୟର ପଦବୀ ତାଙ୍କୁ ପ୍ରଦାନ କରିଥିଲେ । ଠିକ ସେହି ଢଙ୍ଗରେ ଭୁବନେଶ୍ୱର ୮ ନଂ ୱାର୍ଡ ବାସିନ୍ଦା ଲାଲମୋହନ ଟୁଡୁ ଯେକି ପେସାରେ ଜଣେ ରାଜମିସ୍ତ୍ରୀ, ତାଙ୍କ ଉପରେ ମୁଖ୍ୟମନ୍ତ୍ରୀ ଭରସା ରଖି ଭୁବନେଶ୍ୱର ଡେପୁଟି ମେୟର ଦାୟିତ୍ୱ ପ୍ରଦାନ କରାଯିବାକୁ ସ୍ଥିର କରିଛନ୍ତି ।

ସୂଚନା ଅନୁଯାୟୀ, ଭୁବନେଶ୍ୱର ଡେପୁଟି ମେୟର ପାଇଁ ଏକାମ୍ର ନିର୍ବାଚନ ମଣ୍ଡଳୀର ୱାର୍ଡ ନଂ ୪୫ର କର୍ପୋରେଟର ଅମରେଶ ଜେନା(ବାଇଁଆ) ଏବଂ ୱାର୍ଡ ନଂ ୫୯ ର ବିରଞ୍ଚି ମହାସୁପକାର(ଲିଟୁ)ଙ୍କ ମଧ୍ୟରେ ଡେପୁଟି ମେୟର ପଦ ପାଇଁ ଉଚିତ ଦାବେଦାର ବୋଲି ଚା’ ଖଟି ରୁ ଆରମ୍ଭକରି ରାଜନୈତିକ ବିଶେଷଜ୍ଞ ମତ ରଖୁଥିବା ବେଳେ ସବୁକିଛି ଓଲଟପାଲଟ ହୋଇଯାଇଛି । ସବୁ ଆକଳନକୁ ଭୁଲ ପ୍ରମାଣିତ କରି ମୁଖ୍ୟମନ୍ତ୍ରୀ କଟକ ପରି ଭୁବନେଶ୍ୱରରେ ମଧ୍ୟ ଚକମା ଦେଇଥିବା ଦେଖିବାକୁ ମିଳିବ ।

Leave a comment